ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଯାଜପୁର ପରେ ଭୁବନେଶ୍ୱରରେ ମଧ୍ୟ ସଙ୍ଗୀତ ପ୍ରେମୀଙ୍କୁ ଲାଗିଛି ଶକ୍ତ ଧକ୍କା । ଫେରିଯାଇଛନ୍ତି କଣ୍ଠଶିଳ୍ପୀ କୈଳାଶ ଖେର । ବରମୁଣ୍ଡା ପଡିଆରେ ସନ୍ଧ୍ୟାରେ ହେବାକୁ ଥିଲା ମ୍ୟୁଜିକାଲ ନାଇଟ । ଖାସ ଏଥିପାଇଁ ଭୁବନେଶ୍ୱର ଆସିଥିଲେ କୈଳାଶ ଖେର । ପ୍ରସ୍ତୁତି ମଧ୍ୟ ଜୋରଦାର ହୋଇଥିଲା । ପେଣ୍ଡାଲ ସାଙ୍ଗକୁ ଲାଇଟ ଲାଗିବା ଏପରିକି ଚେୟାର ମଧ୍ୟ ପଡିସାରିଥିଲା । ତେବେ ସୂର୍ଯ୍ୟ ଅସ୍ତ ହୋଇଛନ୍ତି କି’ ନାହିଁ ଆରମ୍ଭ ହୋଇଗଲା କାଳବୈଶାଖୀର ତାଣ୍ଡବ ।
ପ୍ରଚଣ୍ଡ ବେଗରେ ପବନ ବହିବା ସହ ହେଲା ଜୋରଦାର ବର୍ଷା । ଆଖି ପିଛୁଳାକେ ସବୁ ଓଲଟପାଲଟ ହୋଇଗଲା । କେଉଁଠି ପାଲ ଉଠିଗଲା ତ’ ଆଉ କେଉଁଠି ପେଣ୍ଡାଲରୁୁ ଖୁଁଟ ଉପୁଡିଗଲା । ଲାଗିଥିବା ତାର ତ’ ଝୁଲି ମାଟିରେ ଲୋଟିଲା । ମ୍ୟୁଜିକାଲ ନାଇଟ ପାଇଁ ଦିନତମାମ ହୋଇଥିବା ପରିଶ୍ରମକୁ ଚାହୁଁଚାହୁଁ ଫିକା କରିଦେଲା କାଳବୈଶାଖୀ । ଯଦିଓ କିଛି ସମୟ ଅପେକ୍ଷା କରାଯାଇଥିଲା କିନ୍ତୁ ବର୍ଷା ଓ ପବନ କମିବାର ନା ଗନ୍ଧ ଧରିଲା ନାହିଁ । ତେଣୁ ବାଧ୍ୟ ହୋଇ ଫେରିଯାଇଥିଲେ କୈଳାଶ ଖେର । ସେପଟେ କୈଳାଶ ଫେରିଯିବା ପରେ ନିରାଶ ହୋଇଛନ୍ତି ଦର୍ଶକ ।
ସୂଚନାଯୋଗ୍ୟ, ଯାଜପୁରରେ ମଧ୍ୟ ସୋନୁନିଗମଙ୍କ ସୋ ବାତିଲ ହୋଇଯାଇଛି । ସେଠି ମଧ୍ୟ ଭୁଷୁଡି ପଡିଛି ପେଣ୍ଡାଲ । ତେବେ କାଳବୈଶାଖୀର ଏଭଳି ତାଣ୍ଡବ ଅନେକଙ୍କୁ ନିରାଶ କରିଛି ।