ମୁମ୍ବାଇ (ଏଟିଆର ବ୍ୟୁରୋ): ‘ୱାଲ୍ଡ ବୁକ ଅଫ ରେକର୍ଡସ ଲଣ୍ଡନ’ ସମ୍ମାନରେ ସମ୍ମାନୀତ ହେଲେ ବଲିଉଡର ଟ୍ରାଜେଡି କିଙ୍ଗ ଭାବେ ବେଶ ପରିଚିତ ଦିଲୀପ କୁମାର । ଦିଲୀପ କୁମାରଙ୍କର ଚଳଚ୍ଚିତ୍ର ଜଗତ ପ୍ରତି ଥିବା ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସମ୍ମାନଟିକୁ ଗ୍ରହଣ କରିବା ପାଇଁ ଦିଲୀପ କୁମାରଙ୍କ ଭାଇ ଅସଲମ ଖାନ ଓ ପତ୍ନୀ ତଥା ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ସାୟରା ବାନୋ ଉପସ୍ଥିତ ଥିଲେ । ଏହି ସମ୍ମାନଟିକୁ ତାଙ୍କ ଭାଇ ଅସଲମ ଖାନ ଗ୍ରହଣ କରିଥିଲେ ।
ଗତମାସ ୧୧ତାରିଖ ଦିନ ଦିଲୀପ କୁମାର ୯୭ବର୍ଷ ଜନ୍ମବୟସରେ ପାଦ ଥାପିଛନ୍ତି । ସେ ୧୯୪୪ ମସିହାରେ ଆସିଥିବା ଫିଲ୍ମ ‘ଜ୍ୱାର୍ ଭଟା’ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ବିଗତ ୫୦ବର୍ଷ ଫିଲ୍ମ କ୍ୟାରିଅରରେ ବହୁ ସୁପରହିଟ ଫିଲ୍ମ ବଲିଉଡକୁ ଦେଇଛନ୍ତି । ସେସବୁ ମଧ୍ୟରେ ‘ମୁଗଲ୍ –ଏ- ଆଜମ’, ‘ନୟାଦୌର’, ‘କ୍ରାନ୍ତି’, ‘ଦେବଦାସ’ ଓ ‘କର୍ମା’ ଏବେବି ଦର୍ଶକଙ୍କ ମନରେ ନିଜର ଛାପ ଛାଡି ଯାଇଛି । ତେବେ ଏହି ଆର୍ନ୍ତଜାତୀୟ ସମ୍ମାନ ବ୍ୟତୀତ ଦିଲୀପ ‘ଦାଦାସାହେବ ଫାଲକେ’ ଓ ‘ପଦ୍ମ ବିଭୂଷଣ’ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି । ୧୯୯୮ମସିହାରେ ଶେଷଥର ପାଇଁ ଦିଲୀପ କୁମାରଙ୍କୁ ‘କିଲା’ ଫିଲ୍ମରେ ଦେଖିବାକୁ ମିଳିଥିଲା ।