ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଲବଲ କରୁଛି ମହାମାରୀ କରୋନା । ଗୋଟେପଟେ ବଲିଉଡ ଅଭିନେତା ସୋନୁ ସୁଦ୍ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ବେଳେ ଅନ୍ୟ ପଟେ ସେ କରୋନା ରୋଗୀଙ୍କୁ ସାହାଯ୍ୟ କରିବାରେ ବିଲକୁଲ ପଞ୍ଚଘୁଞ୍ଚା ଦେଉନାହାନ୍ତି ।
ପ୍ରକୃତରେ ୨୫ ବର୍ଷିୟା ଜଣେ ଯୁବତୀ କରୋନାରେ ସଂକ୍ରମିତ ହୋଇ ଫୁସଫୁସ ସମସ୍ୟା ପାଇଁ ଜୀବନ ଏବଂ ମୃତ୍ୟୁ ସହ ଲଢେଇ କରୁଛନ୍ତି । ଏହି ଯୁବତୀକୁ ବଞ୍ଚେଇବା ପାଇଁ ଯଥା ସମ୍ଭବ ଚେଷ୍ଟା ଜାରି ରଖିଛନ୍ତି ସୋନୁ ସୁଦ୍ । ପୂର୍ବରୁ ତାଙ୍କୁ ନାଗପୁର ହସ୍ପିଟାଲରେ ଭର୍ତ୍ତି କରିବାରେ ସାହାଯ୍ୟ କରିଥିଲେ ସୋନୁ । ଏହାପରେ ଯେତେବେଳ ଡାକ୍ତର କହିଥିଲେ ଯେ ତାଙ୍କର ଫୁସଫୁସ ପ୍ରତିରୋପଣ ଆବଶ୍ୟକ, ସେତେବେଳେ ସୋନୁ ସୁଦ୍ ବିଳମ୍ବ ନକରି ନାଗପୁରରୁ ହାଇଦ୍ରାବାଦ ଏୟାର ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।
ଭାରତୀ ନାମକ ଏହି ଝିଅଟି ଜଣେ ଅବସରପ୍ରାପ୍ତ ରେଳବାଇ ଅଧିକାରୀଙ୍କ ଝିଅ । କୋଭିଡ ପାଇଁ ତାଙ୍କ ଫୁସଫୁସରେ ୮୦ ରୁ ୯୦ ପ୍ରତିଶତ ସଂକ୍ରମଣ ବ୍ୟାପି ଯାଇଛି । ଯାହାଦ୍ୱାରା ତାଙ୍କର ବଞ୍ଚିବା ସମ୍ଭାବନା ମାତ୍ର ୨୦ ପ୍ରତିଶତ ରହିଛି । ଏହା ଜାଣିବା ପରେ ଯେତେବେଳେ ଡାକ୍ତର ସୋନୁଙ୍କୁ ପଚାରିଲେ କି ଆପଣ ଏହାପରେ ବି ଚିକିତ୍ସା କରାଇବାକୁ ଚାହୁଁଛନ୍ତି । ଏହାର ଉତ୍ତରରେ ସୋନୁ କହିଲେ ହଁ । କାରଣ ତାଙ୍କୁ ମାତ୍ର ୨୫ ବର୍ଷ ଏବଂ ସେ ଏହି ରୋଗ ସହ ଦୃଢଥାର ସହ ଲଢିପାରିବେ ।