ମୁମ୍ବାଇ(ଏଟିଆର ବ୍ୟୁରୋ): ହୀରା ବ୍ୟବସାୟୀ ରାଜେଶ୍ୱରୀ ଉଦାନୀଙ୍କ ରହସ୍ୟମୟ ହତ୍ୟା ଘଟଣାରେ ମୁମ୍ବାଇ ପୋଲିସ ଜଣେ ରାଜନେତାଙ୍କୁ ଗିରଫ କରିଛି । ଏହାସହିତ ଜଣେ ପ୍ରମୁଖ ମଡେଲ ଏବଂ ଟେଲିଭିଜିନର ଜଣାଶୁଣା ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କୁ ଅଟକ ରଖି ପଚରା ଉଚରା କରୁଛି ।
ପ୍ରକାଶ ଯେ, ଗତ ନଭେମ୍ବର ୨୮ ତାରିଖରୁ ଘଟକୋପାରର ହୀରା ବ୍ୟବସାୟୀ ରାଜେଶ୍ୱର ଉଦାନି କୁଆଡେ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ତାଙ୍କୁ ନ ପାଇବାରୁ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଏତଲା ଦିଆଯିବାର ୪ଦିନ ପରେ ଗତ ଡିସେମ୍ବର ୪ତାରିଖରେ ତାଙ୍କ ମୃତଦେହ ମହାରାଷ୍ଟ୍ରର ପାନଭେଲ ଜଙ୍ଗଲରେ ମିଳିଥିଲା । ରାଜେଶ୍ୱର ବିଭିନ୍ନ ବାର କ୍ଲବରେ ଏହି ଟେଲିଦୁନିଆର କଳାକାରଙ୍କ ସହିତ ଚିହ୍ନା ପରିଚୟ ବୋଲି ଜଣାପଡିଛି । ଏହି ଘଟଣାରେ କେବଳ ଦେବୋଲିନା ନୁହଁନ୍ତି ଏଥିରେ ଜଡିତ ଆହୁରି ଟେଲି ଦୁନିଆ କଳାକାରମାନଙ୍କୁ ପଚରାଉଚରା କରାଯିବ ବୋଲି ଜଣା ପଡିଛି ।
ରାଜେଶ୍ୱରଙ୍କ ଡ୍ରାଇଭର ମତ ଅନୁଯାୟୀ, ରାଜେଶ୍ୱର ତାଙ୍କୁ ପନ୍ତ ନଗର ବଜାରରେ ଛାଡି ଦେବାକୁ କହିଥିଲେ । ସେଠାରୁ ସେ ଅନ୍ୟ ଏକ ଗାଡିରେ ଚଢିଯାଇଥିଲେ । ପୋଲିସର ସନ୍ଦେହ ଅନୁଯାୟୀ ରାଜେଶ୍ୱରଙ୍କୁ ଅନ୍ୟ କେଉଁଠି ହତ୍ୟା କରାଯାଇ ଜଙ୍ଗଲରେ ଆଣି ଫୋପାଡି ଦିଆଯାଇଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ହିଁ ପ୍ରକୃତ ଘଟଣା ଜଣାପଡିବ ।