ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚର୍ଚ୍ଚାରେ ନୂଆ ଓଡିଆ ଫିଲ୍ମ ‘ବାୟ ବାୟ ଦିଲ’ । ଏହି ଫିଲ୍ମରେ ନାୟିକା ରୂପରେ ଅଭିନୟ କରୁଥିବା ନବାଗତା ରୁଷୀୟ ଝିଅ ଆଲେକଜାଣ୍ଡ୍ରା ସ୍କେଲସୁନୋଭା ଓରଫ ସାସା । ସାସା ଜଣେ ମଡେଲିଂ ସହ ଜଡିତ ଥିବା ବେଳେ ପ୍ରଥମ ଥର ପାଇଁ ଓଡିଆ ସିନେମାରେ ଅଭିନୟ କରିବେ । ବିଦେଶୀ ଅଭିନେତ୍ରୀ ହିସାବରେ ଦେଖିବାକୁ ଓଲିଉଡ ଫିଲ୍ମ ଜଗତରେ ଆଗରୁ ମଧ୍ୟ ଅନେକ ବିଦେଶୀ କଳାକାର କାମ କରିସାରିଛନ୍ତି । ପରଦେଶୀ ଚଢେଇରେ ଉତ୍ତମ ମହାନ୍ତିଙ୍କ ସହ ଅରମିଣ୍ଟାଙ୍କୁ ନାୟିକା ରୂପେ ଦେଖବାକୁ ମିଳିଥିଲା ।
ସେହିପରି ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଫିଲ୍ମ ମୁଖ୍ୟମନ୍ତ୍ରୀରେ ମଧ୍ୟ ବିଦେଶୀ ନାୟିକା ସବ୍ରିନ ଜେନିଫର ଅଭିନୟ କରିଥିଲେ । ଅନ୍ୟ ପେଟ ବାୟ ବାୟ ଦିଲ ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ଓଡିଆ ଫିଲ୍ମ ଜଗତରେ ପାଦ ରଖିଥିବା ସାସା ଫିଲ୍ମଟିକୁ ନେଇ ବେଶ ଉତ୍ସାହି ଥିବା ଦେଖିବାକୁ ମିଳୁଛି । ବାୟ ବାୟ ଦିଲ ଫିଲ୍ମଟା ମହ୍ଲାର ଏଣ୍ଟରଟେନ୍ମେଣ୍ଟ ଏବଂ ଏ.ବି. ସଲ୍ୟୁଶନ ବ୍ୟାନରରେ ନିର୍ମାଣ ହେଉଥିବା ବେଳେ ଏହାର ପ୍ରଯୋଜନା ଭାର ନବାଗତା ଜୟଲକ୍ଷ୍ମୀ ମିଶ୍ର କରିଛନ୍ତି । ନିର୍ଦ୍ଦେଶନା ଦାୟିତ୍ୱ କୁନାଲ ପଟ୍ଟନାୟକ ତୁଲାଇଥିବା ବେଳେ ସଚି ମହାନ୍ତି ଏବଂ ସନ୍ତୋଷଙ୍କ ରଚିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ଟୁନା ଭାଇ-ଉନା ଭାଇ। ଚିତ୍ରୋତ୍ତୋଳନ କରିଛନ୍ତି ରଞ୍ଜନ ମିଶ୍ର।
ନିକଟରେ ଶୁଟିଂ ଶେଷ ହୋଇଥିବା ଏହି ଫିଲ୍ମରେ ସାସାଙ୍କ ଭୂମିକାଟି ହେଲା ଗ୍ଲୋରି। ଏଥିରେ ତାଙ୍କର ନାୟକ ସାଜିଛନ୍ତି ରାଜ୍। ସାସା-ରାଜ୍ ଯୋଡ଼ି ବ୍ୟତୀତ ପଲ୍ଲବୀ, ଜୀବନ ପଣ୍ଡା, ଜୟଲକ୍ଷ୍ମୀ, ପ୍ରୀତିରାଜ, କୁନାଲ, ଟୁଲୁ, ଶମ୍ଭୁ, ରାମବାବୁ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଖାସ୍ କଥା ହେଲା, ଶୁଟିଂ ସମୟରେ ସାସା ଓଡ଼ିଆ ଭାଷା କେତେକାଂଶରେ ଶିଖିଯାଇଛନ୍ତି। ତେବେ ‘ବାୟ ବାୟ ଦିଲ୍’ରେ ସାସା ଦର୍ଶକଙ୍କୁ କେତେ ପ୍ରଭାବିତ କରିପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।