ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପି ଚାଲିଛି । ଦୈନିକ ମାମଲା ବୃଦ୍ଧିକୁ ନେଇ ଏବେ କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ରେମଡେସିଭିର ଇଂଜେକ୍ସନର ଅଭାବ ଦେଖାଦେଇଛି । ଏହାକୁ ଦୃଷ୍ଟରେ ରଖି କେନ୍ଦ୍ର ସରକାର ଏବେ ରେମଡେସିଭିର ଇଂଜେକ୍ସନର ଉତ୍ପାଦନ ବଢାଇବାର ପ୍ରୟାସ କରୁଛନ୍ତି ।
କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ କହିଛି କି, କରୋନା ରୋଗର ପ୍ରମୁଖ ଔଷଧ ରେମଡେସିଭିର ର ଉତ୍ପାଦନ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି । ଆସନ୍ତା ମାସ ଆରମ୍ଭ ସୁଦ୍ଧା ଏହାର ଯୋଗାଣ ମାସକୁ ୩୮.୮୦ ଲକ୍ଷ ୟୁନିଟ୍ ରୁ ୭୪ ଲକ୍ଷ ୟୁନିଟ୍ କୁ ବୃଦ୍ଧି ପାଇବ । ଏହା ସହିତ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଏହାର ନିରବଚ୍ଛିନ୍ନ ଯୋଗାଣ ଏବଂ ପରିବହନ ସୁନିଶ୍ଚିତ କରିବାକୁ କହିଥିଲେ।
କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଏକ ଚିଠିରେ ଲେଖିଛନ୍ତି ଯେ ଏପ୍ରିଲ ୨୧ ରୁ ୩୦ ଏପ୍ରିଲ ମଧ୍ୟରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ମଧ୍ୟବର୍ତ୍ତୀକାଳୀନ ଆବଣ୍ଟନ ତଥା ଜୀବନ ରକ୍ଷାକାରୀ ଔଷଧ ଯୋଗାଣ କରାଯିବ। ସେ ଚିଠିରେ ଲେଖିଛନ୍ତି କି ରେମଡେସିଭିର ଇଞ୍ଜେକ୍ସନର ଚାହିଦା ହେତୁ ଏହାର ଯୋଗାଣ ଉପରେ ଚାପ ରହିଛି । ଦେଶରେ ମେ ମାସ ଆରମ୍ଭ ସୁଧା ରେମଡେସିଭିର ଇଞ୍ଜେକ୍ସନର ସାତଟି ଲାଇସେନ୍ସ ପ୍ରାପ୍ତ ଉତ୍ପାଦକଙ୍କ ଉତ୍ପାଦନ କ୍ଷମତାକୁ ମାସିକ ୩୮.୮୦ ଲକ୍ଷ ୟୁନିଟରୁ ମାସକୁ ୭୪ ଲକ୍ଷ ୟୁନିଟକୁ ବୃଦ୍ଧି କରିବାକୁ ଦେଶରେ ଅନେକ ପଦକ୍ଷେପ ନିଆଯାଇଛି।