ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ଯାହାଫଳରେ ଚିନ୍ତାରେ ଏବେ ରାଜ୍ୟବାସୀ । ଏହାରି ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି ପୂର୍ଣ୍ଣ ଖବର ଆସି ପହଁଚିଛି । ଆଜ୍ଞା ହଁ କରୋନା ଚିକତ୍ସା ପାଇଁ ଆଜି ଭୁବନେଶ୍ୱରରେ ପହଁଚିଛି ରେମଡେସିଭିର୍ ଔଷଧ । ଏହି ଔଷଧ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ।
ନିକଟରେ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ପକ୍ଷରୁ ସର୍ତ୍ତମୂଳକ ଭାବେ କରୋନାକୁ ମାତ୍ ଦେବା ପାଇଁ ଏହି ରେମଡେସିଭିର୍ ଔଷଧ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା ।
ହାଇଦ୍ରାବାଦ ସ୍ଥିତ ଏକ ଔଷଧ ନିର୍ମାଣ କମ୍ପାନୀକୁ ଏହି ଔଷଧ ଉତ୍ପାଦନ ଓ ବିକ୍ରି ପାଇଁ ଅନୁମତି ମିଳିଥିଲା । ଏହି କମ୍ପାନୀ ପ୍ରଥମେ ଏହି ଔଷଧର ନାମ କୋଭିଫର୍ ରଖି ଉତ୍ପାଦନ ଆରମ୍ଭ କରିଥିଲା । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ , ମହାରାଷ୍ଟଅ ସମେତ କିଛିଟା ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟକୁ କୋଭିଫର ପଠାଇଥିଲା କମ୍ପାନୀ । ପୁଣି ଦ୍ୱିତୀୟ ପର୍ଯ୍ୟାରେ ଆଉ କିଛିଟା ରାଜ୍ୟକୁ ଏହି ଔଷଧ ପଠାଇବା ପାଇଁ ନିଷ୍ପତି ନିଆଯାଇଥିଲା । ସେହିଅନୁଯାୟୀ ଆଜି ଓଡିଶାରେ ଆସି ପହଁଚିଛି ଏହି ଔଷଧ ।