ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦୁନିଆରେ କାୟା ମେଲାଇଛି କରୋନା । କରୋନା ରୋଗୀଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ବଢିବାରେ ଲାଗିଛି । ଭାରତରେ ପ୍ରତିଦିନ ତିନି ଲକ୍ଷ ଉପରେ ମାମଲା ଚିହ୍ନଟ ହେଉଛି । ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେବା ହେତୁ ହସ୍ପିଟାଲ ଉପରେ ଚାପ ପଡୁଛି । ଏହାସହିତ ପ୍ଲାଜମାର ଚାହିଦା ବଢିଛି । ସବୁଠାରୁ ବଡ କଥା ହେଉଛି ପ୍ଲାଜମା କଣ? ଏହାକୁ କିଭଳି ଦାନ କରାଯାଇପାରିବ । କିଏ ଏହାକୁ ଦାନ କରିପାରିବେ ଏବଂ କରିପାରିବେ ନାହିଁ । ସେଥିପାଇଁ ପ୍ଲାଜମା ଦାନ ପାଇଁ କେନ୍ଦ୍ର ସରକାର ଏକ ତାଲିକା ଜାରି କରିଛନ୍ତି । ଯେଉଁଥିରେ ପ୍ଲାଜମା ଦାନ ବିଷୟର କଣ କରାଯିବ ଏବଂ କଣ କରାଯିବ ନାହିଁ ସୂଚନା ରହିଛି । ତେବେ ଆସନ୍ତୁ ଜାଣିବା ।
କରୋନାରେ ଗୁରୁତର ଥିବା ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ବ୍ୟବହାର କରାଯାଏ । ଏହା କରୋନା ଚିକିତ୍ସା ଖୁବ୍ ଫଳପ୍ରଦ ମଧ୍ୟ ହେଉଛି । ପ୍ରଥମ ଥର ପଜିଟିଭ ଚିହ୍ନଟ ହେବାର ତିନି ବା ଚାରି ସପ୍ତାହ ପରେ ବ୍ୟକ୍ତି ପ୍ଲାଜମା ଦାନ କରିପାରିବେ । ସେତେବେଳକୁ ତାଙ୍କର ଆଣ୍ଟି- ବଡି ରକ୍ତରେ ପର୍ୟ୍ୟାପ୍ତ ପରିମାଣରେ ଗଠିତ ହୋଇଥିବାର ବିଶ୍ୱାସ କରାଯାଏ।
କିଏ କରିପାରିବେ ପ୍ଲାଜମା ଦାନ:
– ପ୍ଲାଜମା ଦାନ କରିବା ପାଇଁ କରୋନା ନେଗେଟିଭ ରିପୋର୍ଟ ଜରୁରୀ । ନେଗେଟିଭ ରିପୋର୍ଟର ହାର୍ଡ କପି ଏବଂ ଆଧାରକାର୍ଡର କପି ଆବଶ୍ୟକ ।
– ଯେଉଁ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇ ସାରିଛନ୍ତି ଏବଂ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି । ସେମାନେ ୧୪ ରୁ ୨୧ ଦିନ ପରେ ପ୍ଲାଜମା ଦାନ କରି ପାରିବେ ।
– ଯେଉଁମାନଙ୍କ ବୟସ ୧୮ ବର୍ଷ ହୋଇ ସାରିଛି ଏବଂ ସେମାନେ ସୁସ୍ଥ ସେମାନେ ମଧ୍ୟ ପ୍ଲାଜମା ଦାନ କରିପାରିବେ ।
– ୬୦ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ବ୍ୟକ୍ତି ପ୍ଲାଜମା ଦାନ କରିପାରିବେ ।
କେଉଁମାନେ ପ୍ଲାଜମା ଦାନ କରିପାରିବେ ନାହିଁ:
– ଗର୍ଭବତି ମହିଳା ପ୍ଳାଜମା ଦାନ କରିପାରିବେ ନାହିଁ ।
– ମଧୁମେହ, କର୍କଟ, ଉଚ୍ଚ ରକ୍ତଚାପ, କିଡନୀ, ଯକୃତ ରୋଗୀମାନେ ପ୍ଲାଜ୍ମା ଦାନ କରିପାରିବେ ନାହିଁ ।
– ଯଦି ଜଣେ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି, ତେବେ ସେ ମଧ୍ୟ ଦାନ କରିପାରିବେ ନାହିଁ ।
– ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ମଧ୍ୟ ସେମାନଙ୍କର ପ୍ଲାଜ୍ମା ଦାନ କରିପାରିବେ ନାହିଁ ।