ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଲବଲ କରୁଛି ମହାମାରୀ କରୋନା । ଦେଶରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ଏବେ କରୋନା ମୁକାବିଲା ପାଇଁ ପ୍ଲାଜମା ଥେରାପିର ଚାହିଦା ବଢିଯାଇଛି । ଗୁରୁତର କରୋନା ରୋଗୀଙ୍କୁ ବଞ୍ଚେଇବା ପାଇଁ ଏବେ ସାହା ହୋଇଛି ପ୍ଲାଜମା । ଏହାରି ମଧ୍ୟରେ ସରକାର ଲୋକଙ୍କୁ ପ୍ଲାଜମା ଦାନ କରିବା ପାଇଁ ଅନୁରୋଧ କରିଛନ୍ତି ।
କିନ୍ତୁ ସବୁଠାରୁ ବଡ କଥା ହେଲା କର୍ଣ୍ଣାଟକରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଏହାକୁ ଧ୍ୟାନରେ ରଖି କର୍ଣ୍ଣାଟକ ସରକାର ପ୍ରତ୍ୟେକ ପ୍ଲାଜମା ଦାନକାରୀଙ୍କୁ ପ୍ରଶଂସା ରାଶି ରୂପେ ୫ ହଜାର ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । ମେଡିକାଲ ଶିକ୍ଷାମନ୍ତ୍ରୀ କେ.ସୁଧାକର କହିଛନ୍ତି କି, ରାଜ୍ୟରେ ଏପର୍ଯ୍ୟନ୍ତ ୧୭,୩୯୦ ଲୋକ ସଂକ୍ରମଣ ମୁକ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯୯୨ ଲୋକ ବେଙ୍ଗାଲୁରର । ଆମେ ପ୍ଲାଜମା ଦାନକାରୀଙ୍କୁ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାର ନିଷ୍ପତି ନେଇଛୁ । ଦୟାକରି ସ୍ୱଇଚ୍ଛାରେ ଆସି ପ୍ଲାଜମା ଦାନ କରନ୍ତୁ ଏବଂ ରୋଗୀଙ୍କୁ ସୁସ୍ଥ ହେବାରେ ସହାୟକ ହୁଅନ୍ତୁ ।
ଅନ୍ୟପଟେ କରୋନର ରୋଗୀଙ୍କୁ ଚିକିତ୍ସା କରିବା ଲାଗି ଓଡିଶା ସରକାରଙ୍କ ପକ୍ଷରୁ ଗତକାଲି ପ୍ଲାଜମା ବ୍ୟାଙ୍କ ଖୋଲାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସିବି ମେଡିକାଲ କଲେଜରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି ।
ସେହିପରି ପୂର୍ବରୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଦିଲ୍ଲୀରେ ଏକ ପ୍ଲାଜମା ବ୍ୟାଙ୍କ ଖୋଲା ହୋଇଥିଲା । ଏବେ ପୁଣି ଆଉ ଏକ ପ୍ଲାଜମା ବ୍ୟାଙ୍କ ଏଲଏନଜେପି ହସ୍ପିଟାଲରେ ଖୋଲାଯାଇଛି ।