ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ତଳମୁହାଁ ହୋଇଛି କରୋନା ଗ୍ରାଫ । ପ୍ରତ୍ୟେକ ଦିନ ନୂତନ ମାମଲା ସାମ୍ନାକୁ ଆସୁଥିବା ବେଳେ ପୂର୍ବାପେକ୍ଷା ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ଯାହାଫଳରେ ଏକ ରାଜ୍ୟରେ ଏକ ହଜାର ତଳକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିଅନୁଯାୟୀ ଏବେ ୯୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୭୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୪୧୫ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୧୫୨୧ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୩୭୮୦ ରହିଥିବା ବେଳେ ଏହି ରୋଗରୁ ୨୮୯୬୮୯ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୧୨୫୮୪ ଜଣ ଚିକିତ୍ସିତ ହେଉଛନ୍ତି ।