ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦୁନିଆରେ ଜାରି ରହିଛି କରୋନା କୋପ । ଏହାକୁ ମାତ୍ ଦେବା ପାଇଁ ଏବେ ଏକମାତ୍ର ଅସ୍ତ୍ର ସାଜିଛି ଟୀକା । ଏହାରି ମଧ୍ୟରେ ଆମେରିକା ଏବେ କରୋନା ଟୀକାର ବୁଷ୍ଟର ଡୋଜ ଲଗାଇବା ଉପରେ ଅଧିକ ଧ୍ୟାନ ଦେଉଛି । ଏହି କ୍ରମରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ କରୋନା ଟୀକାର ବୁଷ୍ଟର ଡୋଜ ନେଇଛନ୍ତି । ଏହାସହିତ ସେ ଯୋଗ୍ୟ ବ୍ୟକ୍ତିଙ୍କୁ ଟୀକା ନେବା ପାଇଁ ପରାମର୍ଶ ଦେଇଛନ୍ତି ।
ଏନେଇ ରାଷ୍ଟ୍ରପତି ଜୋ ବିଡେନ ନିଜେ ସୂଚନା ଦେଇ କହିଛନ୍ତି କି, ଆଜି ମୁଁ କୋଭିଡ୧୯ ଟୀକାର ବୁଷ୍ଟର ସଟ୍ ନେଇଛି । ପ୍ରଥମ ଏବଂ ଦ୍ୱିତୀୟ ଡୋଜ ଭଳି ଏହା ମଧ୍ୟ ସୁରକ୍ଷିତ ଏବଂ ସହଜ । ଟୀକା ଲଗାନ୍ତୁ । କଣ ଆମେ ସମସ୍ତେ ମିଶି ଜୀବନ ବଞ୍ଚାଇ ପାରିବା ଏବଂ ଏହି ଭାଇରସକୁ ହରାଇ ପାରିବା ।
୭୮ ବର୍ଷିୟ ଜୋ ବିଡେନ କରୋନା ଟୀକାର ପ୍ରଥମ ଡୋଜ ଗତ ବର୍ଷ ଡିସେମ୍ବର ୨୧ ରେ ନେଇଥିଲେ । ଏହାପରେ ଜାନୁଆରୀ ୧୧ ରେ ଟୀକାର ଦ୍ୱିତୀୟ ଡୋଜ ନେଇଥିଲେ ।