ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଗୋଟେ ପରେ ଗୋଟେ ଲଘୁଚାପ ରାଜ୍ୟକୁ ଆସିବାରେ ଲାଗିଛି । ବଙ୍ଗୋପସାଗରେ ଏକାଧିକ ସିଷ୍ଟମ ସୃଷ୍ଟି ହେବା ସହ ଏବେ ପୁଣି ଆସୁଛି ଆଉ ଏକ ଲଘୁଚାପ । ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଏହା ପଶ୍ଚିମବଙ୍ଗ ଉପକୂଳରେ ଘନୀଭୂତ ହେବା ପରେ ଉତ୍ତର ଦିଗକୁ ଗତି ପରବର୍ତ୍ତି ସମୟରେ ଏହା ଆହୁରୀ ଘନୀଭୂତ ହୋଇ ଅବପାତରେ ପରିଣତ ହେବ ।
ଏହାର ପ୍ରଭାବରେ ଉପକୂଳ ଓଡିଶା ସମେତ ଉତ୍ତର ଆଭ୍ୟାନ୍ତରୀଣ ଓଡିଶା ତଥା ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁନ୍ଦରଗଡ ଜିଲ୍ଳାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସବୁ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅକ୍ଟୋବର ୫ ତାରିଖ ଯାଏଁ ଏହାର ପ୍ରଭାବ ରହିବ । ସେହିପରି ପ୍ରଶାନ୍ତ ମହାସାଗରରେ ଅକ୍ଟୋବର ୩ ରେ ସୃଷ୍ଟି ହେବାକୁ ଥିବା ଏକ ସିଷ୍ଟମ ୫ ତାରିଖରେ ଫିଲିପାଇନ୍ସ ଏବଂ ୬ ତାରିଖରେ ଦକ୍ଷୀଣ ଚୀନ୍ ସାଗର ଦେଇ ମିଆଁମାର ଉପକୂଳରେ ୭ ତାରିଖରେ ପହଁଚିବ । ୮ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେକୁ ଆସିବ ଏବଂ ୯ ତାରିଖରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ।