ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆକ୍ସନମୁଡରେ ସ୍ପେଶାଲ ସ୍କ୍ୱାଡ । ଚାଲିଛି ଜବରଦସ୍ତ ଅପରେସନ । ଗତକାଲି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଚଢ଼ାଉ କରି ବନ୍ଧୁକ ସମେତ ୨ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ପୁଣି ଆଉ ଏକ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି । ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ନଗଦ ୪୦ହଜାର ଟଙ୍କା ସମେତ ୨୫ଟି ମୋବାଇଲ ଫୋନ୍, ବାଇକ୍ ଓ ଗାଡି ଡିକି ଭାଙ୍ଗିବା ଯନ୍ତ୍ରାଂଶ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁରର ଶିବ ଦାସ, ଟୁନା ଦାସ,ଲକ୍ଷ୍ମଣ ଦାସ ଓ ଗଞ୍ଜମାର ପି, ରାଜା ।
ଏମାନଙ୍କ ନାମରେ ପୂର୍ବରୁ ଏକାଧିକ ମାମଲା ରହିଥିବା ଜଣାପଡିଛି । କେବଳ ଭୁବନେଶ୍ୱର ନୁହେଁ ବରଂ ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ଖୋର୍ଦ୍ଦା ପୁଲିସ ପାଇଁ ବି ଏମାନେ ଥିଲେ ମୋଷ୍ଟୱାଣ୍ଟେଡ । ପୂରା ଘଟଣାର ମାଷ୍ଟରମାଇଣ୍ଡ ଶିବ ହିଁ ବୋଲି ପୁଲିସ ଜାଣିବାକୁ ପାଇଛି । କୌଣସି ଘଟଣା ଘଟାଇବା ପୂର୍ବରୁ ଶିବ ହିଁ ପୂରା ପ୍ଲାନିଂ ରଚିଥାଏ । ତେବେ ଆଉ ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱ କପ ।
ଖାସ ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ନଜର ରଖି କମିଶନରେଟ ପୁଲିସର ସ୍ପୋଶାଲ ସ୍କ୍ୱାଡ ଆରମ୍ଭ କରିଥିଲା ଏକ ସ୍ପେଶାଲ ଡ୍ରାଇଭ । ସ୍କାନରରେ ରହିଥିଲେ ଚୋର, ଡକାୟତ ଏବଂ ଲୁଟେରା । ସ୍ପେଶାଲ ଟିମର ଛାନଭିନରେ ଶିବର ଏହି ଡକାୟତ ଗ୍ୟାଙ୍ଗ ଖଣ୍ଡଗିରି ଭରତପୁର ଅଞ୍ଚଳରେ ଥିବା ସୂଚନା ମିଳିଥିଲା । ବାସ ଏହାପରେ ସ୍ପେଶାଲ ଟିମର ମୁଖ୍ୟ ସଞ୍ଜିବ ଶତପଥି ନିଜ ଟିମ ସହ ଅଚାନକ ସେଠାରେ ଛାପା ମାରିଥିଲେ । ଯଦିଓ ଅଭିଯୁକ୍ତମାନେ ଖସିବାକୁ ଚେଷ୍ଟା କରିଥିଲେ କିନ୍ତୁ ପୁଲିସ କବଜାରୁ ଖସିବା ଏତେଟା ସହଜ ହୋଇନଥିଲା ।