ଇସଲାମାବାଦ (ଏଟିଆର ବ୍ୟୁରୋ ) ; ପାକିସ୍ତାନରେ ପୁଣି ଆତଙ୍କବାଦୀ ହମଲା । ଗୋଟିଏ ଦିନରେ ଦେଶର ଦୁଇ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କବାଦୀ ମାନେ ଆକ୍ରମଣ କରି ଆତଙ୍କ ଖେଳାଇବାରେ ସକ୍ଷମ ହୋଇପାରିଛନ୍ତି । ଆଜି ସକାଳେ ପାକିସ୍ତାନର କରାଚିଠାରେ ଥିବା ଚୀନ ଦୂତାବାସ ଉପରକୁ ଆକ୍ରମଣ ନିମନ୍ତେ ୪ ଜଣ ଆତଙ୍କବାଦୀ ପଶୁଥିବା ବେଳେ ପୋଲିସ ସହ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ପୋଲିସ ନିହତ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଖବର ମିଳିଥିଲା । ସେହିପରି ଚୀନ ଦୂତାବାସ ନିକଟରେ ଆତଙ୍କ ଖେଳାଇ ସମସ୍ତ ୪ ଜଣ ଆତଙ୍କବାଦୀ ଚମ୍ପଟ ମାରିବାରେ ସକ୍ଷମ ହୋଇଥିବା ଜଣାପଡିଛି ।
ତେବେ ଆତଙ୍କବାଦୀଙ୍କ ପକ୍ଷରୁ ପୁଣି ଏକ ବଡ ଧରଣର ହମଲା କରାଯାଇଥିବାର ସୂଚନା ମିଳିଛି । ସା୍ଥନୀୟ ଖାଇବର ପାଖଥୁନଖା ପ୍ରଦେଶର ଏକ ଜନଗହଳିପୂର୍ଣ୍ଣ ବଜାରରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ କଲାୟାଠାରେ ଥିବା ଏକ ଜୁମା ବଜାରରେ ଘଟିଛି । ବିସ୍ଫୋରଣରେ ମୋଟ ୩୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୧୦୦ରୁ ଉଦ୍ଧ୍ୱର୍ ଲୋକ ସାମାନ୍ୟ ଓ ଗୁରୁତ୍ତର ଭାବେ ଆହତ ହୋଇଛନ୍ତି । ମୃତକଙ୍କ ସଂଖ୍ୟା ଆହୁରୀ ବଢିବ ବୋଲି ଅନୁମାନ ମଧ୍ୟ କରାଯାଉଛି ।
ତେବେ ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିବା ସମସ୍ତେ ସଂଖ୍ୟାଲଘୁ ଶିହା ସଂପ୍ରଦାୟର ବୋଲି ଜଣାପଡିଛି । ସେପଟେ ଶିହା ସଂପ୍ରଦାୟକୁ ହିଁ ଆତଙ୍କବାଦୀ ମାନେ ଟର୍ଗେଟ କରି ଏପରି ବିସ୍ଫୋରଣ କରିଥିବା ଅନୁମାନ କରାଯାଉଛି । ବିସ୍ଫୋରଣ ହୋଇଥିବା ସ୍ଥାନ ନିକଟରେ ଶିହା ସଂପ୍ରଦାୟର ଗୋଟିଏ ମସଜିତ ରହିଛି । ଆତଙ୍କବାଦୀ ମାନେ ପୂର୍ବ ପ୍ରସ୍ତୁତି ଅନୁଯାଇ ଏହି ମସଜିତ ନିକଟରେ ହିଁ ବାରୁଦ ଖଞ୍ଜିଥିବା ଜଣାପଡିଛି ।
ଅନ୍ୟପଟେ ଏହି ବିସ୍ଫୋରଣରେ ଅନେକ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବା ଦେଖାଯାଇଛି । ତେବେ ଚୀନ ଦୂତାବାସ ଆକ୍ରମଣର ୨୪ ଘଣ୍ଟା ନପୁରୁଣୁ ଆଉ ଏକ ବଡ ଧରଣର ଆତଙ୍କବାଦୀ ହମଲା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି । ବିସ୍ଫୋରଣ କାରଣରୁ ଲୋକଙ୍କ ମନରେ କୋକୁଆ ଭୟ ଦେଖାଯାଇଛି । ସ୍ଥାନୀୟ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ଏହି ଭୟଙ୍କର ଆତଙ୍କବାଦୀ ହମଲା ପାଇଁ ଏଯାଏଁ କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନଥିବା ସୂଚନା ମିଳିଛି । ସମ୍ପୃକ୍ତ ଅଞ୍ଚଳରେ ଏବେ ସୁରକ୍ଷା କର୍ମିଙ୍କ ପକ୍ଷରୁ ଅପରେସନ ଓ ତଦନ୍ତ ଜାରିରହିଛି । ଅନ୍ୟପଟେ ସମସ୍ତ ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।