(ଏଟିଆର ବ୍ୟୁରୋ): ଅନେକ ଲୋକ ସେମାନଙ୍କ ଘରେ କୁକୁର ପାଳିଥାନ୍ତି । ସେ ଯେଉଁ ଭଳି କୁକୁରକୁ ଟ୍ରେନିଂ ଦିଅନ୍ତି କୁକୁର ସେହିଭଳି ବ୍ୟବହାର କରିଥାଏ । କୁହାଯାଏ ପାଳିତ ପଶୁ ପକ୍ଷୀ କେବେ ନିଜ ମାଲିକର ଅନିଷ୍ଟ ଚାହାନ୍ତିନି । ମାତ୍ର ଏବେ ପୋଷା କୁକୁରକୁ ନେଇ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆଜ୍ଞା ହଁ ଆମେରିକା ଆୟୋବାରରେ ଜଣେ ୫୧ ବର୍ଷିୟ ବ୍ୟକ୍ତିଙ୍କୁ ତାଙ୍କ ପୋଷା କୁକୁର ସହ ଖେଳିବା ମହଙ୍ଗା ପଡିଛି । ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଛି ।
ବ୍ୟକ୍ତି ଜଣଙ୍କ ଇମରଜେନ୍ସି ନମ୍ବର ଡାଏଲ କରି କହିଛନ୍ତି କି ତାଙ୍କୁ ତାଙ୍କ ପୋଷା କୁକୁର ଗୁଳି ମାରି ଦେଇଛି । ଏହାକୁ ଶୁଣିଲା ପରେ ପୋଲିସକୁ ଝଟକା ଲାଗିବା ସହ ଏହା କିଭଳି ସମ୍ଭବ ସେନେଇ ପୋଲିସ ପୂରା ଚିନ୍ତାରେ । ପୋଷା କୁକୁରଟି ନିଜ ମାଲିକ ସହ ଖେଳିବା ସମୟରେ ଘଟଣାଟି ଘଟିଛି ।
ଫୋର୍ଟ ବ୍ରିଜ୍ ରେ ରହୁଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ରିଚର୍ଡ ରେମ୍ମେ । ସେ ତାଙ୍କ ପୋଷା କୁକୁରକୁ କୋଳରେ ବସାଇ ଡିଆଁଇବା ଶିଖାଉଥିଲେ । ଇତି ମଧ୍ୟରେ କୁକୁରଟି ସେହି ବ୍ୟକ୍ତିଙ୍କ ପିସ୍ତଲର ସେଫ୍ଟି କ୍ଲିପ ଖୋଲିଦେଇଥିଲା । ଯେତେବେଳେ କୁକରଟି ପୁର୍ନବାର ବ୍ୟକ୍ତିଙ୍କ କୋଳକୁ ଆସିବା ପାଇଁ ଡିଆଁ ମାରିଥିଲା, ସେହି ସମୟରେ କୁକୁରର ଗୋଡ ଆଙ୍ଗୁଠିରେ ପିସ୍ତଲର ଟ୍ରିଗର ଫସିଯିବା ଫଳରେ ଗୁଳି ଚାଲି ଯାଇଥିଲା ।
ଏହାପରେ ରିଚାର୍ଡ ଇମରଜେନ୍ସି ସର୍ଭିସ ୯୧୧ ରେ କଲ କରି କହିଥିଲେ କି ତାଙ୍କ କୁକୁର ତାଙ୍କୁ ଗୁଳି ମାରି ଦେଇଛି । ଗୁଳିଟି ରିଚର୍ଡଙ୍କ ଗୋଡରେ ଲାଗିଥିବାରୁ ବେଶି କ୍ଷତି ହୋଇନଥିଲା ।
ଏନେଇ ସିଟି ପୋଲିସ ଚିଫ୍ ରୋଜର ପୋର୍ଟର କହିଛନ୍ତି , କୁକୁର ଦ୍ୱାରା ଗୁଳି ମାରିବା ଏହା ପ୍ରଥମ ଘଟଣା । ଏଭଳି ଘଟଣା ମୁଁ ପୂର୍ବରୁ କେବେ ଶୁଣି ନାହିଁ ।