ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକା ସେନା ଛାଡିବା ପରେ ସଙ୍କଟରେ ଥିବା ଆଫଗାନିସ୍ତାନରେ ତାଲିବାନ ସରକାର ଆଜି ଘୋଷଣା କରାଯିବ। ତାଲିବାନର ସହ-ପ୍ରତିଷ୍ଠାତା ମଲ୍ଲିକା ବାରଦର ଏହି ସରକାରର ନେତୃତ୍ୱ ନେବେ। ଯଦିଓ ଶୁକ୍ରବାର ଦିନ ନୂତନ ସରକାର ଗଠନ ହେବାକୁ ଥିଲା, ତଥାପି ଏହାକୁ ଗୋଟିଏ ଦିନ ସ୍ଥଗିତ ରଖାଯାଇଥିଲା। ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଶନିବାର ଦିନ ନୂତନ ସରକାର ଗଠନ ଘୋଷଣା କରାଯିବ।
ତାଲିବାନ୍ ସୂତ୍ରରୁ ପ୍ରକାଶ ଯେ, ଦୋହା ସ୍ଥିତ ତାଲିବାନର ରାଜନୈତିକ କାର୍ଯ୍ୟାଳୟର ଚେୟାରମ୍ୟାନ ମୁଲ୍ଲା ଅବଦୁଲ ଗନି ବରାଦରଙ୍କୁ ସରକାରଙ୍କ ପ୍ରମୁଖ କରିବାର ସାଧାରଣ ଘୋଷଣା ଖୁବ୍ ଶୀଘ୍ର ହେବ । ମୁଲ୍ଲା ବରାଦରଙ୍କ ସହିତ ତାଲିବାନର ସଂସ୍ଥାପକ ମୁଲ୍ଲା ଉମରଙ୍କ ପୁଅ ମୁଲ୍ଲା ମୋହମ୍ମଦ ୟାକୁବ ଏବଂ ଶେର ମୋହମ୍ମଦ ଅବ୍ୱାସ ଷ୍ଟେନକଜଇଙ୍କର ମଧ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ତାଲିବାନର ସୂଚନା ଓ ସଂସ୍କୃତି ଆୟୋଗର ଜଣେ ବରିଷ୍ଠ ଅଧିକାରୀ ମୁଫତି ଇନାମୁଲ୍ଲା ସାମଙ୍ଗାନି କହିଛନ୍ତି ଯେ ସମସ୍ତ ବରିଷ୍ଠ ନେତା କାବୁଲରେ ପହଞ୍ଚିଛନ୍ତି ଏବଂ ନୂତନ ସରକାର ଘୋଷଣା ପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ଅଛି। ସରକାର ଗଠନ ଉପରେ ପାରସ୍ପରିକ ଚୁକ୍ତି ହୋଇଛି ଏବଂ ବର୍ତ୍ତମାନ କ୍ୟାବିନେଟ ସମ୍ପର୍କରେ କିଛି ଆବଶ୍ୟକ ଆଲୋଚନା ଚାଲିଛି।