ଏଟିଆର ବ୍ୟୁରୋ: ଦୁନିଆର ସବୁଠାରୁ ବଡ ଜଙ୍ଗଲ ତଥା ବ୍ରାଜିଲରେ ଥିବା ଆମାଜନ ଜଙ୍ଗଲରେ ଭୟାବହ ନିଆଁ ଲାଗିଛି । ନିଆଁ ର ପ୍ରକୋପ ଏତେ ମାତ୍ରାରେ ବଢି ଯାଇଛି କି ଚାରିଆଡେ ଖାଲି କଳା ଧୂଆଁ । କେବଳ ଏତିକି ନୁହେଁ ଏହି ଧୂଆଁ ଯୋଗୁଁ ବ୍ରାଜିଲର ଏକ ସହର କଳା ଧୂଆଁରେ ବୁଡି ଯାଇଛି । କୁହାଯାଏ ଏହି ଜଙ୍ଗଲରୁ ହାରାହାରି ୨୦ ପ୍ରତିଶତ ଅକ୍ସିଜେନ ମିଳିଥାଏ । ପୂର୍ବରୁ ଏହି ଜଙ୍ଗଲରେ ଅନେକ ଥର ନିଆଁ ଲାଗି ସାରିଛି ମାତ୍ର ଏଥର ଜଙ୍ଗଲରେ ଲାଗିଥିବା ନିଆଁ ଭୟଙ୍କର ରୂପ ନେଇଛି । ଦୀର୍ଘ ୧୫ ଦିନ ହେବ ଜଳୁଛି ଜଙ୍ଗଲ , କିନ୍ତୁ ନିଆଁ ଲିଭିବାର ନାଁ ଧରୁନି । ଏଠି ପ୍ରଶ୍ନ ଉଠୁଛି କି ଦୁନିଆର ସବୁଠାରୁ ବଡ ଜଙ୍ଗଲରେ ନିଆଁ ଲାଗିଛି, କିନ୍ତୁ ଏଠି କୌଣସି ଦେଶ ନିଆଁ ଲିଭାଇବା ପାଇଁ ସହଯୋଗର ହାତ ବଢାଉ ନାହାନ୍ତି । ଏହି ଭୟାବହ ଅଗ୍ନିକାଣ୍ଡରେ ଜଙ୍ଗଲରେ ଥିବା ହଜାର ହଜାର ପଶୁ ପକ୍ଷୀ ମୃତ୍ୟୁ ବରଣ କରିଛନ୍ତି ।
ସେପଟେ ଅମାଜନ ଜଙ୍ଗଲରେ ଲାଗିଥିବା ନିଆଁ ର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏନେଇ ଲୋକେ ଦୁଃଖ ପ୍ରକାଶ କରିବା ସହିତ ନିଆଁକୁ ଆୟତ କରିବା ପାଇଁ ବ୍ରାଜିଲ ସରକାର ଏବଂ ଅନ୍ତରାଷ୍ଟ୍ରୀୟ ସରକାରଙ୍କୁ ଅପିଲ ମଧ୍ୟ କରିଛନ୍ତି । ଏହି ଜଙ୍ଗଲକୁ ଦୁନିଆର ଫୁସଫସ ବୋଲି କୁହାଯାଇଥାଏ । ଏଠାରୁ ୧୬ ହଜାରରୁ ଅଧିକ ବିଭିନ୍ନ ଗଛର ପ୍ରଜାତି ଏବଂ ୨୫ ଲକ୍ଷରୁ ଅଧିକ ଜୀବଯନ୍ତୁର ପ୍ରଜାତି ମିଳିଥାଏ । ୫୫ ଲକ୍ଷ ବର୍ଗ କିଲୋମିଟର କ୍ଷେତ୍ରଫଳରେ ବ୍ୟାପିଥିବା ଏହି ଜଙ୍ଗଲ ବିଶ୍ୱର ସବୁଠାରୁ ବଡ ଜଙ୍ଗଲ ବୋଲି କୁହାଯାଏ । ଆଉ ସବୁଠାରୁ ବଡ କଥା ହେଉଛି ଏ ପାଖାପାଖି ୧୦ ଲକ୍ଷ ଆଦିମ ଅଧିବାସୀ ବସବାସ କରୁଛନ୍ତି । ଚଳିତ ବର୍ଷ ଆରମ୍ଭରୁ ଏହି ଜଙ୍ଗଲରେ ପାଖାପାଖି ୭୩ ହଜାରରୁ ଅଧିକ ଥର ନିଆଁ ଲାଗି ସାରିଲାଣି । ସ୍ଥାନୀୟ ଲୋକଙ୍କ ଅଭୀଯୋଗ ଅନୁଯାୟୀ ଏପର୍ଯ୍ୟନ୍ତ କୌଣସି ସରକାର ପକ୍ଷରୁ ନିଆଁ ଲିଭାଇବା ପାଇଁ ପଦକ୍ଷେପ ନିଆ ଯାଇ ନାହିଁ ।