ଢାକା (ଏଟିଆର ବ୍ୟୁରୋ ) ; ନିର୍ବାଚନ ଲଢିବେ ମୋର୍ତାଜା । ବାଂଲାଦେଶ କ୍ରିକେଟ ଦଳର ଅଧିନାୟକ ମୁସାରଫ ମୋର୍ତାଜା ରାଜନୀତି ମଇଦାନରେ ପାଦ ଥାପିବା ନେଇ ସଜବାଜ ହେଉଛନ୍ତି । ବାଂଲାଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ମୋର୍ତାଜାଙ୍କୁ ପ୍ରାଥି ଭାବେ ଶାସକ ଦଳ ଟିକେଟ ଦେବା ନେଇ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ଶେଖ ହାସିନା ଙ୍କ ଆୱାମୀ ଲିଗରୁ ମୋର୍ତାଜା ନିର୍ବାଚନ ଲଢିବା ନେଇ ଖୋଦ ପ୍ରଧାନମନ୍ତ୍ରୀ ଶେଖ ହାସିନା ଜଣାଇଛନ୍ତି ।
ସେପଟେ ମୋର୍ତାଜାଙ୍କ ନିର୍ବାଚନ ଲଢିବା ନେଇ ବାଂଲା୍ଦେଶ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି କି, ମୋର୍ତାଜା ରାଜନୀତିକୁ ଆସିବା ତାଙ୍କ ସାମ୍ବିଧାନିକ ଅଧିକାର । ଏଥିରେ ବାଂଲାଦେଶ କ୍ରିକେଟ ବୋର୍ଡର କୌଣସି ସମସ୍ୟା ନାହିଁ । ସେହିପରି ରାଜନୀତି ଓ କ୍ରିକେଟ ମଧ୍ୟରେ ସମତୁଲତା ରକ୍ଷା କରିବାକୁ ମୋର୍ତାଜାଙ୍କୁ ବୋର୍ଡ ପରାମର୍ଶ ଦେଇଛି ।
ମୋର୍ତାଜା ନିଜ ଜନ୍ମସ୍ଥାନ ତଥା ବାଂଲାଦେଶର ଦକ୍ଷିଣ ପଶ୍ଚିମ ଅଞ୍ଚଳରୁ ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ହେଲେ ଏଯାଏଁ ଅଧିନାୟକ ମୋର୍ତାଜାଙ୍କ ତରଫରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କିନ୍ତୁ ମୋର୍ତାଜା ପ୍ରଥମ କ୍ରିକେଟର ହେବେ ଯେ କ୍ରିକେଟ ଖେଳରେ ସକ୍ରିୟ ଥାଇ ବି ରାଜନୀତିରେ ପ୍ରବେଶ କରୁଛନ୍ତି ।
ପୂର୍ବରୁ ମଧ୍ୟ ବିଭିନ୍ନ ଦେଶର ବହୁ କ୍ରିକେଟର ରାଜନୀତି ମଇଦାନରେ ପାଥ ଥାପି ସାରିଛନ୍ତି । ସେମାନଙ୍କ ମଧ୍ୟରୁ ଏଯାଏଁ ଅନେକ ସଫଳ ହୋଇଥିଲେ ହେଁ ଅନେକ ବିଫଳତାର ସ୍ୱାଦ ଚାଖିଛନ୍ତି । ତେବେ ମୋର୍ତାଜାଙ୍କ ହାତରେ ଏବେ ବାଂଲାଦେଶ କ୍ରିକେଟ ଦଳର ଅଧିନାୟକତ୍ୱ ଥିବା ବେଳେ ସେ ଆଗାମୀ ଦିନରେ ରାଜନୀତିର ଚକ୍ରବ୍ର୍ୟୁହରେ କେତେ ତିଷ୍ଠି ପାରୁଛନ୍ତି ତାହା ଦେଖିବାକୁ ବାକିରହିଲା ।