ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଖୁସିର ସମୟରେ ଅଚାନକ୍ ଘୋଟି ଆସିଲା ଅନ୍ଧକାର । ଘଟିଲା ଭୟଙ୍କର ବିଷ୍ଫୋରଣ । କେହି କିଛି ବୁଝିବା ପୂର୍ବରୁ ଆଖିପିଛୁଳାକେ ଚାଲିଗଲା ୪୦ଜଣଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ଆଫଗାନିସ୍ତାନର ରାଜଧାନୀ କାବୁଲରେ । କେବଳ ୪୦ଜଣଙ୍କ ଜୀବନ ଯାଇଛି ତାହା ନୁହେଁ ବରଂ ଘଟଣାରେ ୧୦୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଯାହାଙ୍କ ଅବସ୍ଥା ଏବେ ବି ସଂଗିନ୍ ରହିଛି । ଆଗକୁ ମୃତ୍ୟୁ ସଂଖା ବଢ଼ିପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି ।
ରିପୋର୍ଟ ଅନୁସାରେ, ଏକ ବାହାଘର ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ତେବେ ବିଷ୍ଫୋରଣ ପଛରେ କାହାର ହାତ ରହିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ସେପଟେ ଏହା ଏକ ଆତ୍ମଘାତି ବିଷ୍ଫୋରଣ ବୋଲି ଆଫଗାନିସ୍ତାନ ସରକାର କହିଛନ୍ତି । ଶନିବାର ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣା ପୂରା ଦେଶକୁ ସ୍ତବ୍ଧ କରି ଦେଇଛି । ମିଳିଥିବା ରିପୋର୍ଟ ଅନୁସାରେ, ବାହାଘର ସମୟରେ ଲୋକଙ୍କ ପ୍ରବଳ ଭିଡ଼ ଥିଲା । ମଣ୍ଡପ ଭିତରେ ଷ୍ଟେଜ କରାଯାଇ ସଂଗୀତ କାର୍ଯ୍ୟକ୍ରମ ମଧ୍ୟ ଚାଲିଥିଲା । ହେଲେ ଷ୍ଟେଜ୍ ପାଖରେ ଯେ, ଏଭଳି ଅଘଟଣ ଘଟିବ କେହି କେବେ ଚିନ୍ତା କରିନଥିଲେ । ଫଳରେ ସମସ୍ତେ ସଂଗୀତ କାର୍ଯ୍ୟକ୍ରମର ଭରପୁର ଆନନ୍ଦ ନେଉଥିଲେ । ଆଉ ଠିକ୍ ସେହି ସମୟରେ ହୋଇଥିଲା ଭୟଙ୍କର ବିଷ୍ଫୋରଣ ।
ସେପଟେ ଆହତମାନଙ୍କୁ ଏବେ ଚିକିତ୍ସା କରାଯାଉଛି । ସୂଚନା ଥାଉକି, ଠିକ୍ ୧୦ଦିନ ତଳେ ମଧ୍ୟ କାବୁଲରେ ଆଉ ଏକ ବିଷ୍ଫୋରଣ ହୋଇଥିଲା । ଯେଉଁଥିରେ ୯୫ଜଣଙ୍କ ଜୀବନ ଯାଇଥିଲା । ବାରମ୍ବାର ଏଭଳି ବିଷ୍ଫୋରଣ ଏବେ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି ।