ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରୁ କାନାଡା ଯାଉଥିବା ଯାତ୍ରୀଙ୍କ ପାଇଁ ଖୁସୀ ଖବର । ଭାରତରୁ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ଏକମାସ ଧରି ଲାଗିଥିବା ପ୍ରତିବନ୍ଧକକୁ ହଟାଇଛି କାନାଡା । ୨୭ ସେପ୍ଟମ୍ବର ୨୦୨୧ ରୁ ପୁଣି ଥରେ ଭାରତରୁ କାନାଡାକୁ ସିଧାସଳଖ ବିମାନ ଉଡାଣ ସେବା ଆରମ୍ଭ ହେବ ।
ଏହାପୂର୍ବରୁ ଭାରତରୁ ସିଧା କାନାଡା ବିମାନ ଉଡାଣ ଉପରେ ପ୍ରତିବନ୍ଧକକୁ ୨୬ ସେପ୍ଟମ୍ବର ଯାଏଁ ବୃଦ୍ଧି କରାଯାଇଥିଲା । ଅବଶ୍ୟ ଏବେ ପ୍ରତିବନ୍ଧକ ହଟାଇ ଦିଆଯାଇଛି । ଯାତ୍ରୀମାନେ ଏବେ ଭାରତରୁ ସିଧା କାନାଡା ଯାତ୍ରା କରିପାରିବେ ।
ସେଥିପାଇଁ କାନାଡା ସରକାର କିଛି ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ସେହିଅନୁଯାୟୀ ଯାତ୍ରୀଙ୍କୁ ଦିଲ୍ଲୀର ଇନ୍ଦୀରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ କାନାଡା ଦ୍ୱାରା ଅନୁମୋଦିତ ଜେନେଷ୍ଟ୍ରିଂ ଲ୍ୟାବରୁ କରୋନା ଟେଷ୍ଟ କରିବାକୁ ହେବ ଏବଂ ଫଳାଫଳ ନକରାତ୍ମକ ହେଲେ ହିଁ ବିମାନରେ ଚଢିବାକୁ ଅନୁମତି ଦିଆଯିବ ।
ଏହି ପରୀକ୍ଷା କାନାଡାକୁ ସେମାନଙ୍କର ସିଧାସଳଖ ବିମାନ ଉଡ଼ାଣର ନିର୍ଦ୍ଧାରିତ ୧୮ ଘଣ୍ଟା ମଧ୍ୟରେ କରିବାକୁ ହେବ । ଭାରତର ଅନ୍ୟ କୌଣସି ଲ୍ୟାବରୁ କରାଯାଇଥିବା କୋଭିଡ୧୯ ପରୀକ୍ଷା କାନାଡା ଯାତ୍ରା ପାଇଁ ସ୍ୱୀକୃତିପ୍ରାପ୍ତ ହେବ ନାହିଁ ।