ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚୀନରେ ଏବେ କରୋନାରେ ମୃତ୍ୟୁ ସଂଖ୍ୟା ଆଖି ପିଛୁଳାକେ ବଢୁଛି । ମାତ୍ର ୨୪ ଘଣ୍ଟା ମଧ୍ୟରେ ଶତାଧିକ ଲୋକଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି । ତେବେ ଏବେ ସବୁଠାରୁ ବଡ ପ୍ରସଙ୍ଗ ହୋଇଛି ବାସ୍ତବରେ ଏହି ଭୟଙ୍କର ଭାଇରସ କେଉଁଠୁ ଆସିଛି । କିଏ ଏହି ଭାଇରସର ବାହକ ? ଟେକନୋଲୋଜିରେ ଆଗୁଆ ଚାଇନା କାହିଁକି ଚହ୍ନି ପାରୁନାହିଁ କରୋନାର ଘର ? ଏବେ ଶୋସାଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଚାଇନାର ଲୋକମାନେ ଖାଉଥିବା ଖାଦ୍ୟକୁ ଦେଖାଯାଇଛି । ଛୋଟଛୋଟ ଜୀବ ଜନ୍ତୁଙ୍କୁ ବିନା ସିଝା ବା ଜୀଅନ୍ତା କିଭଳି ଖିଆଯାଇପାରେ ତାହା ଦେଖିବାକୁ ମିଳିଛି । ତେବେ ଅନ୍ୟ ଦେଶର ଗବେଷକମାନେ ଏକ ପ୍ରକାର ସ୍ଥିର ହୋଇଗଲେଣି ଯେ ଏହା ଖାଦ୍ୟରେ ଗ୍ରହଣ କରାଯାଉଥିବା ପଶୁ ପକ୍ଷୀଙ୍କ ଠାରୁ ଆସିଛି । ପ୍ରଥମେ କୁହାଯାଉଥିଲା ଏହା ସାମୁଦ୍ରିକ ପ୍ରାଣୀ ଠାରୁ ଆସିଛି । ପରେ ବାଦୁଡିଠାରୁ ।
ଗତକାଲି ଏକ ଖରବ ପ୍ରକାଶ ପାଇଥିଲା ଯେଉଁଥିରେ ଗବେଷକ ମାନେ ମତ ରଖିଥିଲେ ଏହା ବଜ୍ରକାପ୍ତା ଠାରୁ ହେଉଛି । କାରଣ ଚାଇନାରେ ବଜ୍ରକାପ୍ତାକୁ ଏକ ସ୍ୱାଦିଷ୍ଟ ଖାଦ୍ୟ ଭାବରେ ଗ୍ରହଣ କରାଯାଇଥାଏ । ଏବେ ପୁଣି ଚୀନର ସି ଫୁଡ ଉପରେ ସନ୍ଦେହ ଆସୁଛି । ସି ଫୁଡ୍ ଭାଇରସ୍ ବ୍ୟାପିବାର ଅନ୍ୟତମ କାରଣ ବୋଲି କେତେକ ଗବେଷଣା ସଂସ୍ଥା ଦର୍ଶାଇବା ପରେ ଚୀନ୍ ସରକାର ଏହାର ଆମଦାନି-ରପ୍ତାନି ବନ୍ଦ କରିଛନ୍ତି। ଏବେ ଅନ୍ୟଦେଶରୁ ଆସୁଥିବା ସି ଫୁଡ ଉପରେ ପ୍ରତିବନ୍ଧକ ଲଗାଇଛି । ଚୀନର କରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଉହାନ ସହରରେ ଏବେ ସମସ୍ତ ସିଫୁଡ ଦୋକାନ ବନ୍ଦ ରହିଛି । ଆଜି ସୁଦ୍ଧା ଚୀନରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୮୦୩ ରେ ପହଞ୍ଚିଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୩୬,୬୯୦ ରହିିଛି ।