ସିଟି ଅଫ ଭିକ୍ଟୋରିଆ(ଏଟିଆର ବ୍ୟୁରୋ): ଚୀନରୁ ସୃଷ୍ଟ କରୋନା ଭୂତାଣୁ ବିଶ୍ୱର ପ୍ରାୟ ୨୭ଟି ଦେଶକୁ ବ୍ୟାପି ସାରିଲାଣି । ଚୀନରେ କରୋନା ଆକ୍ରମଣରେ ୪୨୫ଜଣଙ୍କ ପ୍ରାଣ ଗଲାଣି । ଏହି ଭାଇରସ ପାଇଁ ବିଶ୍ୱରେ ଗ୍ଳୋବାଲ ଏମର୍ଜେନ୍ସି ଜାରି କରାଯାଇଛି ।
ଚୀନ ବାହାରେ ୨୭ଟି ଦେଶକୁ ଏହି ଭାଇରସ ବ୍ୟାପିଥିଲେ ମଧ୍ୟ କେବଳ ଫିଲିପାଇନ୍ସରେ ଏହି ଭାଇରସ ଦ୍ୱାରା ଜଣଙ୍କର ଜୀବନ ଯାଇଥିଲା । ବର୍ତ୍ତମାନ ହଂକଂରେ କରୋନା ଭାଇରସ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଚୀନ ବାହାରେ ଦ୍ୱିତୀୟ ମୁଣ୍ଡ ନେଇଛି କରୋନା ।
କରୋନା ଭାଇରସ ପାଇଁ ବିଶ୍ୱର ଅର୍ଥନୀତି ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ସବୁ ଦେଶର ଚିନ୍ତା ବଢାଇ ଦେଇଛି ଏହି ମାରାତ୍ମକ ଭୂତାଣୁ କରୋନା । ତେବେ ଏହି ଭାଇରସ କବଳରୁ ବର୍ତ୍ତିବା ପାଇଁ କେବଳ ପ୍ରତିଶେଧ ମୂଳକ ଔଷଧ ଦିଆଯାଉଛି । ଏପର୍ଯ୍ୟନ୍ତ ଏହି ଭୟଙ୍କର ଭୂତାଣୁ ଠାରୁ ରକ୍ଷା ପାଇବା ପାଇଁ କୌଣଷି ଔଷଧ ବାହାର କରାଯାଇପାରି ନାହିଁ ।
ହଂକଂରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ଗତ ଜାନୁଆରୀ ମାସରେ ଚାଇନାରୁ ଫେରିଥିଲେ । କିଛି ଦିନ ତଳେ ଅସୁସ୍ଥତା ଅନୁଭବ କରିବାରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।