ସଡନୀ(ଏଟିଆର ବ୍ୟୁରୋ): ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳ ଟି୨୦ ବିଶ୍ୱକପର ଫାଇନାଲକୁ ପ୍ରବେଶ କରିଛି । ଆଜି ଆଇସିସି ମହିଳା ଟି୨୦ ବିଶ୍ୱକପର ପ୍ରଥମ ସେମିଫାଇନାନ ଖେଳା ଯିବାର ଥିଲା । ପ୍ରଥମ ସେମିଫାଇନାଲ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାର ଥିଲା । ହେଲେ ଲଗାଣ ବର୍ଷ ଯୋଗୁ ଏହି ମ୍ୟାଚକୁ ବାତିଲ କରାଯାଇଛି । ବର୍ଷା ସମ୍ଭାବନା ଥିବାରୁ ପୂର୍ବରୁ ଆଇସିସିକୁ କ୍ରିକେଟ ଅଷ୍ଟେଲିଆ ଜଣାଇବା ସହ ରିଜର୍ଭ ଡେ ପାଇଁ ଆବେଦନ କରିଥିଲା ।
ହେଲେ ଆଇସିସି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା । ତେଣୁ ଆଇସିସି ନିୟମ ଅନୁସାରେ ଗ୍ରୁପ ଏ ରେ ଅପରାଜୟ ରହିଥିବା ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ତେଣୁ ଭାରତୀୟ ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିଛି । ଭାରତ ପୂର୍ବରୁ ଖେଳିଥିବା ୪ଟି ମ୍ୟାଚ ଲଗାତାର ଜିତି ଯାଇଛି । ପ୍ରଥମ ମ୍ୟାଚରେ ପୂର୍ବ ବର୍ଷର ବିଶ୍ୱ ବିଜେତା ଅଷ୍ଟ୍ରେଲିଆକୁ ଭାରତ ହରାଇଥିଲା । ଏହା ପରେ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାକୁ ହରାଇଥିଲା । ତେବେ ୪ଟି ମ୍ୟାଚ ଜିତି ୮ ପଏଣ୍ଟ ସହ ଗ୍ରୁପ ଏ ତାଲିକାର ଶୀର୍ଷ ସ୍ଥାନରେ ରହିଥିଲା ।