ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପାକିସ୍ତାନ ଏବେ ଘୋର ଅର୍ଥ ସଂଙ୍କଟ ଦେଇ ଗତି କରୁଛି । ତଥାପି ଚେତା ପଶୁନି ଏହି ଦେଶର । ନିଜ ଦେଶର ଆର୍ଥିକ ପରିସ୍ଥିତି ସୁଧାରିବା ପରିବର୍ତ୍ତେ ଭାରତର ଆଭ୍ୟନ୍ତରିଣ ବ୍ୟାପାରରେ ମୁଣ୍ଡ ପୁରାଉଛି ଏହି ଦେଶ । ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଇଲେକ୍ଟ୍ରିବିଲ ମଧ୍ୟ ଦେବାକୁ ଅକ୍ଷମ । ଏମିତି କି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବକେୟା ବିଦ୍ୟୁତ ବିଲ ଏତେ ଅଧିକ ହୋଇ ଯାଇଛି ଯେ ତାକୁ ସରକାର ଭରିବାକୁ ଅଯୋଗ୍ୟ ।
ସୂଚନା ମୁତାବକ ବିଦ୍ୟୁତ ଯୋଗାଉ ଥିବା କମ୍ପାନୀ ମଧ୍ୟ ଏନେଇ ସଚିବାଳୟକୁ ଏକ ନୋଟିସ ମାଧ୍ୟମରେ ଜଣାଇଛି । ଏମିତି କି କାର୍ଯ୍ୟାଳୟର ବିଦ୍ୟୁତ କାଟ କରିବାକୁ ଚେତାବନୀ ମଧ୍ୟ ଦେଇଛି । ଏବେ ପାଖାପାଖି ୪୧ ଲକ୍ଷ ଟଙ୍କା ବିଦ୍ୟୁତ ବିଲ ବାକି ରହିଛି । ସେହିଭଳି ସଚିବାଳୟର ବକେୟା ବିଲ ରହିଛି ୩୫ ଲକ୍ଷ । ଏହି ଦେଶରେ ବିଦ୍ୟୁତ ଉତ୍ପାଦନ ଭଲ ହେଉ ନଥିବାରୁ ଏଠାରେ ବିଦ୍ୟୁତ ସଂଙ୍କଟ ସବୁବେଳେ ଲାଗି ରହିଥାଏ ।
ତେବେ କମ୍ପାନୀ ପକ୍ଷରୁ ଦିଆଯାଇଥିବା ନୋଟିସର କୌଣସି ଉତ୍ତର ଦେଇନାହିଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଲଗାତାର ୨ ମାସ ହେଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବିଦ୍ୟୁତ ବିଲ ଦିଆଯାଇ ନଥିବା ସମ୍ପୃକ୍ତ କମ୍ପାନୀ ଅଭିଯୋଗ କରିଛି । ତେବେ ଯଦି ଏହି ବିଲ ଖୁବ ଶିଘ୍ର ଜମା କରାନଯାଏ ତେବେ କମ୍ପାନୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବିଦ୍ୟୁତ ସଂଯୋଗ କାଟି ଦେବାକୁ ଚେତାବନୀ ଦେଇଛି । ଅନ୍ୟପଟେ କିନ୍ତୁ ଏହି ଦେଶ ଏବେ ଭାରତ ସହ ଯୁଦ୍ଧ କରିବାକୁ ଚେତାବନୀ ଦେଇଛି ।