ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଇଣ୍ଡୋନୋସିଆ ପାଇଁ ସହାୟତାର ହାତ ବଢାଇଲା ଭାରତ । ସହାୟତା ପାଇଁ ପ୍ରସ୍ତୁତ ଭାରତୀୟ ନୌସେନା । ପାଣି , କ୍ଷୀର , ଜୁସ , ବିସ୍କୁଟ ଓ ଟେଣ୍ଡ ନେଇ ବାହାରିପଡିଲା ଭାରତୀୟ ନୌସେନାର ୩ ଟି ଜାହାଜ । ଇଣ୍ଡୋନୋସିଆରେ ପ୍ରଳୟଙ୍କାରୀ ସୁନାମି ଯୋଗୁ ଅସ୍ତବ୍ୟସ୍ତ ହୋଇପଡିଛି ସାଧାରଣ ଜୀବନ । ପ୍ରଥମେ ଭୂମିକମ୍ପ ଓ ପରେ ଭୟଙ୍କର ସୁନାମି ଇଣ୍ଡନୋସିଆବାସୀ ମାନଙ୍କ ପାଇଁ ସାଜିଲା କାଳ ।
ଚାଲିଗଲା ଶହ ଶହ ଲୋକଙ୍କ ଜୀବନ । ଲୋପ ପାଇଗଲା ପ୍ରାକୃତିକ ସୌନ୍ଦର୍ଯ୍ୟ । ମାଟିରେ ମିଶିଗଲା ବିଶାଳ ବିଶାଳ କୋଠାମାନ । ଘରଦ୍ୱାରକୁ ହରାଇ ନାହିଁ ନଥିବା ହଇରାଣ ହେଉଛନ୍ତି ସେଠାକାର ଲୋକେ । ପ୍ରକୃତିର ଭୟଙ୍କର ରୂପକୁ ଭୁଲିବେନି ଇଣ୍ଡୋନୋସିଆବାସୀ । ତେବେ ଇଣ୍ଡୋନୋସିଆକୁ ବଢିଛି ସହାୟତାର ହାତ । ଭାରତ କରିବ ଇଣ୍ଡନୋସିଆକୁ ସାହାର୍ଯ୍ୟ ।
ଦକ୍ଷିଣ ଏସିଆରେ ଥିବା ଭାରତର ତିନୋଟି ଜାହାଜକୁ ସୁନାମି ପ୍ରଭାବିତ ଇଣ୍ଡୋନୋସିଆ କୁ ପଠାଯାଇଛି । ଏଥିରେ ନୌସେନା ଆଇଏନଏସ ତୀର, ଆଇଏନଏସ୍ ସୁଜାତା, ଆଇଏନଏସ୍ ସାର୍ଦୁଲକୁ ଇଣ୍ଡୋନେସିଆ ପଠାଯାଇଥିବାର ଭାରତୀୟ ନୌସେନାର ପ୍ରବକ୍ତା ଟ୍ୱିଟ୍ କରି କହିଛନ୍ତି । ତେବେ ଆଜି ସେ ସବୁ ଜାହାଜ ଇଣ୍ଡୋନୋସିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାପଡିଛି । ଜାହାଜ ଗୁଡିକରେ ଭାରତ ତରଫରୁ ୩୦ ହଜାର ଲିଟର ପାଣି , ୧୫୦୦ ଲିଟର ଜୁସ ପ୍ୟାକ , ୫୦୦ ଲିଟର କ୍ଷୀର ସମେତ ୭ କୁଇଣ୍ଟାଲ ବିସ୍କୁଟ ଓ ୨୦ ଟି ଟେଣ୍ଡ ସହାୟତା ରହିଥିବା ଜଣାପଡିଛି । ସେପଟେ ଇଣ୍ଡୋନୋସିଆରେ ବର୍ତ୍ତମାନ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ସୁରକ୍ଷାକର୍ମୀମାନେ ଯୁଦ୍ଧକାଳିନ ଭିତ୍ତିରେ କାର୍ଯ୍ୟ ତୁଲାଉଛନ୍ତି ।