ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବିଶ୍ୱର ସବୁଠାରୁ ଉନ୍ନତ ଓ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ପାକିସ୍ତାନକୁ କଳା ତାଲିକାଭୁକ୍ତ କରିଛି । ଧାର୍ମିକ ସ୍ୱତନ୍ତ୍ରତା ପ୍ରସଙ୍ଗରେ ପାକିସ୍ତାନ କଳା ତାଲିକାଭୁକ୍ତ ହୋଇଛି ।
ଆମେରିକାର ନିୟମ ଅନୁସାରେ ଯେଉଁ ସବୁ ଦେଶ ଧର୍ମ ଆଧାରରେ ଭେଦଭାବ କରିଥାନ୍ତି ଆମେରିକା ସେ ସବୁ ଦେଶକୁ କଳା ତାଲିକାଭୁକ୍ତ କରିଥାଏ । ଆଉ କଳା ତାଲିକାଭୁକ୍ତ ହୋଇଥିବା ଦେଶ ଗୁଡିକ ସହିତ ଆମେରିକା ସତର୍କତା ଅବଲମ୍ବନ କରି ସମ୍ପର୍କ ସ୍ଥାପନ କରିଥାଏ । ସହାୟତା ରାଶି କମ କିମ୍ବା ବନ୍ଦ ମଧ୍ୟ କରିଥାଏ ।
ତେବେ ଏହି ତାଲିକା ପ୍ରକାଶ ପାଇବା ପରେ ପାକିସ୍ତାନ ପୁଣି ଥରେ ବିଶ୍ୱ ଦରବାରରେ ଲଜ୍ଜିତ ହୋଇଛି । କ୍ରମାଗତ ଭାବେ ଦୁଇଥର ଆମେରିକା ପାକିସ୍ତାନକୁ କଳା ତାଲିକାଭୁକ୍ତ କରିସାରିଲାଣି । ସେପଟେ ପାକିସ୍ତାନ ବିରୋଧରେ ଆମେରିକାର ଏହି ପଦକ୍ଷପକୁ ପାକିସ୍ତାନ ତୀବ୍ର ନିନ୍ଦା କରିବା ସହିତ ଭାରତ-ଆମେରିକା ବୁଝାମଣା ଉପରେ ମଧ୍ୟ ଆଙ୍ଗୁଳି ଉଠାଇଛି ।
ପାକିସ୍ତାନର ବିଦେଶ ବିଭାଗ ପ୍ରବକ୍ତା ଆୟସା ଫାରୁକ କହିଛନ୍ତି ‘ଆମେରିକା ଏହି ତାଲିକାରେ ଭାରତ କୁ ସାମିଲ କରିବା ପରିବର୍ତ୍ତେ ଭୁଲ ବଶତଃ ପାକିସ୍ତାନକୁ ସାମିଲ କରିଦେଇଛି’ । ଫାରୁକ ଏହି ନିଷ୍ପତିକୁ ସମାଲୋଚନା କରିବା କରି ଏହା ମଧ୍ୟ କହିଛନ୍ତି ଯେ, ଭାରତର ଚାପ ଆଗରେ ଆମେରିକା ମୁଣ୍ଡ ନୁଆଁଇଛି ।
ଆମେରିକାର ଏହି ତାଲିକାରେ ପାକିସ୍ତାନ ସହିତ ମ୍ୟାଁମାଁର, ଚୀନ, ଇରିଟ୍ରିୟା, ଇରାନ୍, ଉତ୍ତର କୋରିଆ, ସାଉଦିଆରବ, ତାଜାକିସ୍ତାନ ଓ ତୁର୍କମେନିସ୍ଥାନ ମଧ୍ୟ ରହିଛନ୍ତି । ଆନ୍ତର୍ଜାତୀୟ ଧାର୍ମିକ ସ୍ୱତନ୍ତ୍ରତା ଆଇନ ୧୯୯୮ ଅନୁଯାଇ ଏହି ଦେଶ ଗୁଡିକୁ କଳା ତାଲିକାଭୁକ୍ତ କରାଯାଇଛି ।