ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାରି ରହିଛି କରୋନା ପ୍ରକୋପ । ଏହାକୁ ମୁକାବିଲା କରିବା ଲାଗି ସାରା ବିଶ୍ୱ ଲାଗିପଡିଛି । ଏହି ଭାଇରସକୁ ରୋକିବା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ । ସେଥିପାଇଁ ଏବେ ଲକ୍ ଡାଉନ୍, ସାମାଜିକ ଦୂରତା, ମାସ୍କ ସାନିଟାଇଜର ଉପରେ ଅଧିକ ଜୋର ଦିଆଯାଇଛି । କିନ୍ତୁ କରୋନ ଭୟରେ ଯେଉଁ ମାସ୍କ ବ୍ୟବହାର କରାଯାଉଛି । ସେହି ମାସ୍କକୁ ନେଇ ଜାପାନ ଏକ ଏଭଳି ରିପୋର୍ଟ ସାମ୍ନାକୁ ଆଣିଛି, ଯାହା ଖୁବ୍ ଭୟଙ୍କର । ରିପୋର୍ଟ ମୁତାବକ, ଛୋଟ ପିଲାମାନେ ମାସ୍କ ବ୍ୟବହାର କରିବା ବିପଦ ହୋଇପାରେ ।
ଜାପାନରେ କରାଯାଇଥିବା ରିସର୍ଚ୍ଚ ଅନୁଯାୟୀ ଏକ ମେଡିକାଲ ଗ୍ରୁପ୍ ପକ୍ଷରୁ କୁହାଯାଇଛି କି, ଦୁଇ ବର୍ଷରୁ କମ ବୟସର ଛୁଆଙ୍କୁ ମାସ୍କ ପିନ୍ଧିଇବା ବିପଦପୂର୍ଣ୍ଣ ହୋଇପାରେ । କାରଣ ସେମାନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଯାହାଫଳରେ ଶ୍ୱାସରୋଦ୍ଧ ହେବାର ଆଶଙ୍କା ଅଧିକ ବଢିଯାଇଥାଏ ।
ଭାଇରସ ବ୍ୟାପିବାରୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି । କିନ୍ତୁ ଜାପାନ ଶିଶୁ ଚିକିତ୍ସା ଆସୋସିଏସନ୍ ପକ୍ଷରୁ ମାତା-ପିତା ମାନଙ୍କୁ ଚେତାବନୀ ଦିଆଯାଇଛି କି ଛୋଟ ଶିଶୁ ପାଇଁ ମାସ୍କ ବିପଦପୂର୍ଣ୍ଣ ।
ଆସୋସିଏସନ୍ ପକ୍ଷରୁ କୁହାଯାଇଛି କି, ମାସ୍କରେ ଛୋଟ ଛୁଆଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । କାରଣ ସେମାନେ ଅଧିକ ଜୋର ଲଗାଇ ପାରନ୍ତି ନାହିଁ । ଯାହାଫଳରେ ଛୁଆଙ୍କ ହାର୍ଟ ଉପରେ ଚାପ ପଡିଥାଏ । ଏହାସହିତ ହିଟ୍ ଷ୍ଟ୍ରୋକର ବିପଦ ବଢାଇଥାଏ ମାସ୍କ । ସେଥିପାଇଁ ୨ ବର୍ଷରୁ କମ୍ ବୟସ ଛୁଆଙ୍କୁ ମାସ୍କ ପିନ୍ଧାଇବା ଉଚିତ୍ ନୁହେଁ ।