ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୋଟେ ଝିଅର ବିବାହ ପରେ ହିଁ ତାର ଶ୍ୱଶୁର ଘର ତା ପାଇଁ ସବୁ କିଛି ହୋଇ ଯାଇଥାଏ । ସେ ସେଠାରେ ସବୁଦିନ ପାଇଁ ବୋହୂ ହୋଇ ରହିଥାଏ । ମାତ୍ର ଏବେ ବୋହୂ ହୋଇ ନେପାଳ ଯିବାକୁ ଥିବା ଭାରତୀୟ ଝିଅଙ୍କୁ ସେଠାରେ ନାଗରିକତା ହେବା ପାଇଁ ସାତ ବର୍ଷ ଅପେକ୍ଷା କରିବାକୁ ପଡିବ । ଭାରତ ସହ ଚାଲିଥିବା ସୀମା ବିବାଦ ମଧ୍ୟରେ ଶନିବାର ନେପାଳର ସତାରୁଢ କମ୍ୟୁନିଷ୍ଟ ପାର୍ଟିର ବୈଠକରେ ନାଗରିକତା ନିୟମରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତି ନିଆଯାଇଛି ।
ନେପାଳ ଗୃହମନ୍ତ୍ରୀ ରାମ ବହାଦୁର ଥାପା କହିଛନ୍ତି କି, ନିୟମରେ ପରିବର୍ତ୍ତନର ପ୍ରସ୍ତାବ ଭାରତକୁ ଦୃଷ୍ଟିରେ ରଖି ନିଆଯାଇଛି । ବରିବର୍ତ୍ତନ ଅନୁଯାୟୀ ଯେତେବେଳେ କୌଣସି ଭାରତୀୟ ଯୁବତୀ ନେପାଳ ଯୁବକଙ୍କୁ ବିବାହ କରିବେ ତେବେ ତାଙ୍କ ସହିତ ସାତ ବର୍ଷ ରହିବା ପରେ ହିଁ ଯାଇ ନେପାଳର ନାଗରିକତା ମିଳିବ ।
କିନ୍ତୁ ନେପାଳରୁ ଆସିବାକୁ ଥିବା ବୋହୁଙ୍କ ପାଇଁ ଭାରତରେ ଏଭଳି ନିୟମ ନାହିଁ । ମାତ୍ର ନେପାଳ ଗୃହମନ୍ତ୍ରୀ ଦାବି କରିଛନ୍ତି କି, ଭାରତ ବି ବିଦେଶୀ ମହିଳାଙ୍କୁ ନାଗରିକତା ଦେବାରେ ୭ବର୍ଷ ଲଗେଇ ଦେଉଛି । ଧାର୍ମିକ ଏବଂ ସାଂସ୍କୃତିକ ରୂପେ ଦୁହେଁ ଦୁହିଁଙ୍କ ସହ ଜଡିତ ଭାରତ ନେପାଳର ଦ୍ୱିପାକ୍ଷୀୟ ସମ୍ପର୍କ ଅତି ପୁରାତନ ।