ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ସହିତ ଆଲୋଚନା ନେଇ ଗୋଡ ଟେକୁଛି ପାକିସ୍ତାନ । ଦୁଇ ଦେଶ ମଧ୍ୟରେ ଉତ୍ତମ ବୁଝାମଣା ଓ ଆପୋସ ସମାଧାନ ପାଇଁ ଭାରକକୁ ଚିଠି ପରେ ଚିଠି ଲେଖୁଛି ପାକିସ୍ତାନ । ଏହି ଅବସରରେ ଖୋଦ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଚିଠି ଲେଖିଛନ୍ତି । ଦୁଇ ଦେଶ ମଧ୍ୟରେ ସଂପର୍କ କିଭଳି ଭଲ ରହିବ, ଦୁଇ ଦେଶ ମଧ୍ୟରେ ଶାନ୍ତି କିଭଳି ବଜାୟ ରହିବ ସେନେଇ ଦୁଇ ଦେଶ ଆଲୋଚନା କରି ମିଳିମିଶି କାମ କରିବାକୁ ଇମରାନ ପ୍ରସ୍ତାବ ଦେଇଛନ୍ତି ।
ସୂଚନାଯୋଗ୍ୟ ଗତକାଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଏସଏମ କ୍ୟୁରେସି ଭାରତର ନୂଆ ବୈଦେଶିକ ମନ୍ତ୍ରୀ ଏସ ଜୟ ଶଙ୍କରଙ୍କୁ ପତ୍ର ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ସେ ମଧ୍ୟ ଆପୋସ ବୁଝାମଣା ସହିତ ସମସ୍ୟାର ସମାଧାନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସୁଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବା ପାଇଁ ପାକିସ୍ତାନ ତୃତୀୟ ଥର ପାଇଁ ଚିଠି ଭାରତକୁ ପଠାଇଛି ।
ଏହି ଲୋକସଭା ନିର୍ବାଚନରେ ବିଜେପି ବହୁମତ ପାଇବା ପରେ ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ମୋଦିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ଇମରାନଙ୍କ ଶୁଭେଚ୍ଛାର ଉତ୍ତରରେ ମୋଦି ସୀମାରେ ଶାନ୍ତି , ପ୍ରଗତି ଓ ସମୃଦ୍ଧି ପାଇଁ ଦେଶରୁ ଆତଙ୍କବାଦ ନିପାତ କରିବା ଜରୁରୀ ବୋଲି ମୋଦି କହିଥିବା ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା ।