ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବେକାବୁ କରୋନାକୁ ନେଇ ସାରା ବିଶ୍ୱ ଏବେ ଆତଙ୍କିତ ହୋଇ ପଡିଛି । ତେବେ ଏହି ଭିତରେ ଏବେ ଚୀନରେ ଏହି ଭାଇରସକୁ ନେଇ ଗବେଷଣା କରୁଥିବା କିଛି ବୈଜ୍ଞାନିକ ଏବେ ଏକ ତଥ୍ୟ ଦେଇଛନ୍ତି । ଯେଉଁଥିରେ ସେମାନେ ବଜ୍ରକାପ୍ତାରୁ କରୋନା ଭାଇରସ ବ୍ୟାପିଥିବା ଦାବି କରୁଛନ୍ତି । ପ୍ରାଥମିକ ସ୍ତରରେ ଏହା ବାଦୁଡି ଦେହରୁ ବ୍ୟାପୁଥିବା କୁହାଯାଉଥିଲା । ଚୀନରେ ବାଡୁଡିକୁ ଲୋକମାନେ ଏକ ସୁସ୍ୱାଦୁ ଖାଦ୍ୟ ଭାବରେ ଖାଉଥିବାରୁ ଏହା ବାଦୁଡିରୁ ବ୍ୟାପୁଛି ବୋଲି କୁଯାଉଥିଲା । ମାତ୍ର ଏବେ ଏହା ବଜ୍ରକାପ୍ତାରୁ ବ୍ୟାପୁଥିବା କୁହାଯାଉଛି । ଦକ୍ଷିଣ ଚୀନ କୃଷି ବିଶ୍ୱବିଦ୍ୟାଳୟର ଅନୁସନ୍ଧାନରୁ କରୋନା ଭୂତାଣୁ ବ୍ୟାପିବା ପଛରେ ବଜ୍ରକାପ୍ତାର ଭୂମିକା ରହିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି ।
କାରଣ ବଜ୍ରକାପ୍ତାରେ ମିଳୁଥିବା ଭୂତାଣୁ ଓ କରୋନା ଆକ୍ରାନ୍ତଙ୍କ ଦେହରେ ମିଳୁଥିବା ଭୂତାଣୁ ମଧ୍ୟରେ ୯୯ ପ୍ରତିଶତ ସମାନତା ରହିଛି । ଚୀନରେ ବଜ୍ରକାପ୍ତାକୁ ସବୁଠାରୁ ସ୍ୱାଦିଷ୍ଟ ଓ ଦାମିକା ଖାଦ୍ୟ କୁହାଯାଏ । ଅନ୍ୟପଟେ କରୋନା ଭାଇରସରେ ଏବେ ଜଣେ ଆମେରିକୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ଏନେଇ ଆମେରିକୀୟ ଦୂତାବାସ ସୂଚନା ଦେଇଛି । ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଥିବା କରୋନା ଭାଇରସ ମୃତ୍ୟୁ ସଂଖ୍ୟା ଏବେ ୭୧୯ ରେ ପହଞ୍ଚିଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଟପି ସାରିଲାଣି । ସୂଚନାଯୋଗ୍ୟ ଏହି ବଜ୍ରକାପ୍ତା ମୁଖ୍ୟତ ଓଡିଶାରୁ ଅଧିକ ମାତ୍ରାରେ ଚୀନକୁ ରପ୍ତାନୀ ହୋଇଥାଏ । ଯାହାକୁ ବିଭିନ୍ନ ସମୟରେ ପୋଲିସ ଜବତ କରୁଥିବା ଖବର ମିଳେ । ମାତ୍ର ଏହା ବଜ୍ରକାପ୍ତାରୁ ଆସୁଛି କି ଆଉ କେଉଁ ଜୀବଠାରୁ ଆସୁଛି ସ୍ପଷ୍ଟ ହୋଇନାହିଁ ।