ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଖାଦ୍ୟର ସ୍ୱାଦ ବଢାଇବା ପାଇଁ ରସୁଣ ବ୍ୟବହାର କରାଯାଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ରସୁଣ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପଯୋଗୀ । ଗୋଟେ କୋଲା ରସୁଣ ଆପଣଙ୍କ ଅନେକ ରୋଗ ଦୂର କରିଥାଏ । ଏହାଦ୍ୱାରା ଆପଣ ସୁସ୍ଥ ରହିବା ସହିତ ବିନା ଔଷଧରେ ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରିପାରିବେ । ତେବେ ଆସନ୍ତୁ ରସୁଣ ଦ୍ୱାରା କେଉଁ ସବୁ ରୋଗ ଦୂର ହୋଇପାରିବ ।
– ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଅଛି ତେବେ ଏହାର ଉପଚାର ପାଇଁ ରସୁଣ ରାମବାଣ ସଦୃଶ କାମ କରିଥାଏ । ରସୁଣରେ ବାୟୋଆକ୍ଟିଭ ସଲ୍ଫର, ଏସ-ଏଲାଲିସିଷ୍ଟିନ ଥାଏ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ସେଥିପାଇଁ ନିୟମିତ ଖାଲି ପେଟରେ ଗୋଟେ କୋଲା ରସୁଣ ସେବନ କରନ୍ତୁ ।
– ରକ୍ତ ଜମାଟ ବାନ୍ଧିବାରେ ରସୁଣ ରୋକିଥାଏ । ସେହି ବ୍ୟକ୍ତିଙ୍କ ପାଇଁ ରସୁଣ ସେବନ ଲାଭକାରୀ ହୋଇଥାଏ ଯେଉଁମାନଙ୍କର ରକ୍ତ ଅଧିକ ଗାଢା । ଏହା ରକ୍ତକୁ ପତଳା କରିବାରେ ସାହାଯ୍ୟ କରିଥାଏ ।
– ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ଭଳି ସମସ୍ୟା ଅଛି ତେବେ ନିୟମିତ ସକାଳୁ ରସୁଣ ଖାଆନ୍ତୁ । ସେଥିପାଇଁ ଆପଣ ପାଣିକୁ ଫୁଟାଇ ସେଥିରେ ରସୁଣ ପକାଇ ଦିଅନ୍ତୁ । ଏହାପରେ ଖାଲି ପେଟରେ ସେହି ପାଣିକୁ ପିଅନ୍ତୁ । ଏହାଦ୍ୱାରା ପେଟ ସଫା ରହିବ ।
– ରସୁଣ ଦ୍ୱାରା ହୃଦରୋଗ ଜନିତ ସମସ୍ୟା ଦୂର ହେବା ସହ ଖରାପ ଚର୍ବି ନିୟନ୍ତ୍ରଣ ହୋଇଥାଏ ।
– ଏହାସହିତ ଯଦି ଆପଣଙ୍କ ଦାନ୍ତ ବିନ୍ଧା ହେଉଛି ତେବେ ରସୁଣ ସହ ଲବଙ୍ଗ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେହି ପେଷ୍ଟକୁ ଦାନ୍ତ ମୂଳେ ଲଗାଇବା ଦ୍ୱାରା ଆରାମ ମିଳିଥାଏ ।