ଭୁବନେଶ୍ୱର (ଏଟିଆର ବ୍ୟୁରୋ ) : ସୁନ୍ଦର ଦେଖାଯିବାକୁ କାହାକୁ ବା ଭଲ ନଲାଗେ । ସବୁ ଝିଅ ଚାହାଁନ୍ତି ଅନ୍ୟମାନଙ୍କ ଭଳି ସେ ବି ସୁନ୍ଦର ଦିଶିବେ । ତେବେ ସୁନ୍ଦରତା ପାଇଁ ତ୍ୱଚାର ଧ୍ୟାନ ରଖିବା ପ୍ରଥମ କାମ । କାରଣ ତ୍ୱଚା ଭଲ ରହିଲେ ହିଁ ଆପଣ ଲାଗିବେ ବିଉଟିଫୁଲ ।
ତେବେ ନିଜ ତ୍ୱଚାକୁ ନେଇ ପ୍ରାୟ ସମସ୍ତେ ସତର୍କ ରହିଥାନ୍ତି । କିନ୍ତୁ ବାହାର ଧୂଳି ପ୍ରଦୂଷଣ କାରଣରୁ ତ୍ୱଚାରେ ବ୍ରଣ, ଦାଗ, ବ୍ଲାକହେଡସ ପରି ଅନେକ ସମସ୍ୟା ଦେଖାଦେଇଥାଏ । ଏହି ସବୁ ସମସ୍ୟା ଗୁଡିକୁ କମ୍ କରିବା ଲାଗି ବଜାରରେ ଅନେକ ପ୍ରକାର ସ୍କିନ୍ କେଆର ପ୍ରଡକ୍ଟ ମିଳୁଛି । ହେଲେ ସେଥିରେ ରାସାୟନିକ କେମିକାଲ ରହିଛି ଯାହା ତ୍ୱଚା ଜନିତ ସମସ୍ୟାକୁ ଅଧିକ ବଢାଇଥାଏ । ଅନେକ ସମୟରେ ଏହି ସବୁ ପ୍ରଡକ୍ଟର ବ୍ୟବହାର କାରଣରୁ ମୁହଁ କୁଣ୍ଡାଇ ହେବା ବା ଜଳିବା ଭଳି ସମସ୍ୟା ମଧ୍ୟ ଦେଖା ଦେଇଥାଏ ।
ଯଦି ଆପଣଙ୍କ ସହ ବି ହେଉଛି ଏମିତି କିଛି । ତାହାହେଲେ ଏହାର ଘରୋଇ ଉପଚାର କରିପାରନ୍ତି । ଏହି ସବୁ ସମସ୍ୟାରୁ ମୁକ୍ତି ଦେଇପାରିବ ଘିଅ । କାରଣ ଘିଅରେ ଉଚିତ ମାତ୍ରାରେ ପୋଷକ ତତ୍ତ୍ୱ ରହିଛି, ଯାହା ତ୍ୱଚାକୁ ପୋଷକ ତତ୍ୱ ପ୍ରଦାନ କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ଘିଅକୁ ବ୍ୟବହାର କରି ମୁହଁରେ କିପରି ଚମକ ଫେରିପାଇବେ ।
ଶୁଖିଲାପଣ ଦୂର କରେ
ଘିଅ ତ୍ୱଚାକୁ କୋମଳ ରଖିବା ସହ ଶୁଖିଲାପଣ ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିରେ ଫ୍ୟାଟି ଏସିଡ୍ ରହିଛି ଯାହା ତ୍ୱଚାର କୋଷିକାକୁ ସତେଜ ରଖେ ।
କୋମଳତା ବଜାୟ ରଖେ
ତ୍ୱଚାକୁ ଆବଶ୍ୟକୀୟ ଫ୍ୟାଟି ଏସିଡ୍ ପ୍ରଦାନ କରିବା ସହ ତ୍ୱଚାକୁ କୋମଳ କରାଇଥାଏ ଘିଅ । ଯଦି ଆପଣଙ୍କ ତ୍ୱଚା ଅଧିକ ଶୁଖିଲା ରହୁଛି ତେବେ ନିଜ ଖାଦ୍ୟରେ ଘିଅକୁ ସାମିଲ କରନ୍ତୁ । ଦେଖିବେ ଆପଣ ବି ଏହାର ଫାଇଦା ପାଇପାରିବେ ।
ରଙ୍ଗ ବଢାଏ
ଘିଅ ଆବଶ୍ୟକୀୟ ପୋଷକ ତତ୍ତ୍ୱ ପୋଷଣ ପ୍ରଦାନ କରିବା ସହ ଆପଣଙ୍କୁ ସୁସ୍ଥ ଓ ମଜଭୁତ ରଖେ । ଏଥିରେ ଭିଟାମିନ ‘ଇ’ ରହିଛି ଯାହା ମୁହଁ ଭିତରେ ଥିବା ଧୂଳିକୁ ଦୂର କରିବା ସହ ଚମକ ମଧ୍ୟ ବଢାଇଥାଏ ।
ଜଣାପଡେନି ବୟସ
ଘିଅରେ ପ୍ରାକୃତିକ ଆଣ୍ଟି ଏଜିଙ୍ଗ ରହିଛି । ଯାହା ତ୍ୱଚାର କୋଷିକା ଗୁଡିକ ମଧ୍ୟରେ ପ୍ରବେଶ କରି ମୁହଁକୁ ସତେଜ ରଖିବାରେ ସାହାଯ୍ୟ କରେ । ଏହା ମୁହଁର ଚମକ ବଢାଇବା ସହ ବୟଷ୍କ ଛାପ ଦୂର କରିଥାଏ ।