ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ଲୋକ ପିଜୁଳି ଖାଇବାକୁ ବେଶ ପସନ୍ଦ କରନ୍ତି । ଏଥିରେ ଆଣ୍ଟିଅକ୍ସିଡେଣ୍ଟ, ଭିଟାମିନ୍ ସି, ପୋଟାସିୟମ ଏବଂ ଫାଇବର ଭରପୁର ମାତ୍ରାରେ ରହିଛି । ଏହା ଶରୀର ପାଇଁ ଉପକାରୀ ହୋଇଥାଏ । ସେହିପରି ସ୍ୱାସ୍ଥ୍ୟ ପାଇଁ ପିଜୁଳି ପତ୍ରରେ ତିଆରି ହୋଇଥିବା ଚା ବି ଉପଯୋଗୀ ହୋଇଥାଏ । ପିଜୁଳି ପତ୍ରରେ ତିଆରି ହୋଇଥିବା ଚା’ ଅନେକ ପୁରାତନ ପିଢୀରୁ ଲୋକେ ସେବନ କରିଆସୁଛନ୍ତି । କିନ୍ତୁ ସମୟ ଅତିବାହିତ କରିବା ସହ ଏହାର ଚାହିଦା କମି କମି ଯାଉଛି ।
ଆପଣଙ୍କ ବାଡି ବଗିଚାରେ ନିହାତି ଭାବେ ପିଜୁଳି ଗଛ ଥିବ । ସେଥିପାଇଁ ଆପଣ ସହଜରେ ପିଜୁଳି ପତ୍ର ପାଇଯିବେ । ପିଜୁଳି ପତ୍ର ଚା’ ବି ଆଣ୍ଟିଅକ୍ସିଡେଣ୍ଟ, ବ୍ୟାକ୍ଟେରିଆ ରୋଧୀ ହୋଇଥାଏ । ସେଥିପାଇଁ ଆପଣଙ୍କୁ ପିଜୁଳି ପତ୍ର ଚା’ର ରେସିପି ଶିଖିବା ନିହାତି ଜରୁରୀ ।
ଚା’ ବନେଇବାକୁ ହେଲେ ପ୍ରଥମେ ଆପଣ ୧୦ ଟି ପିଜୁଳି ପତ୍ରକୁ ସଫା ପାଣିରେ ଧୋଇ ଦିଅନ୍ତୁ । ସସପେନ୍ ର କିଛି ପାଣି ଦେଇ ଦୁଇ ମିନିଟ୍ ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ଫୁଟାନ୍ତୁ । ଏହାପରେ ସେହି ପିଜୁଳି ପତ୍ରକୁ ପକାଇ ୫ ମିନିଟ୍ ଯାଏଁ ଫୁଟାନ୍ତୁ । ଏଥିରେ ରଙ୍ଗ ଏବଂ ସ୍ୱାଦ ପାଇଁ ଅଧା ଚାମାଚ ଚା’ପତି ମିଶାନ୍ତୁ । ଏହାପରେ ୧୦ ମିନିଟ ପର୍ଯ୍ୟନ୍ତ ଫୁଟାଇବା ପରେ ଛାଣି ଦିଅନ୍ତୁ । ଏହାପରେ ମିଠା ପାଇଁ ସେଥିରେ ମହୁ ବା ଗୁଡ ମିଶାନ୍ତୁ ।
ଏରୀରରେ କୋଲେଷ୍ଟ୍ରଲ ର ଉଚ୍ଚ ମାତ୍ରା ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ଜନ୍ମ ଦେଇପାରେ । ଖାସ୍ କରି ହାର୍ଟ ପାଇଁ । ସେହିପରି ଶରୀରରେ ରକ୍ତ ପ୍ରବାହକୁ ବାଧିତ କରେ କୋଲେଷ୍ଟ୍ରଲ । ନ୍ୟୁଟ୍ରିସନ ଆଣ୍ଡ ମେଟାବଲିଜିମ ରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଗବେଷଣାରୁ ଜଣାପଡିଛି କି ପିଜୁଳି ପତ୍ରର ଚା’ ସେବନ କରିବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ମାତ୍ରା ଆଠ ସପ୍ତାହ ପରେ କମ ହୋଇଯାଏ ।