ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଶୀତ ଦିନ ଆସିବା ମାତ୍ରେ କିଛି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥାଏ । ଜ୍ୱର, ଥଣ୍ଡା ଏବଂ କାଶ ଆଦି ଲାଗି ରହିଥାଏ । ଏଥିରୁ ଉପଶମ ପାଇବା ପାଇଁ ସାଧାରଣ ଜଣେ ବ୍ୟକ୍ତି ଔଷଧର ସାହାରା ନେଇଥାନ୍ତି । କିନ୍ତୁ ଔଷଧ ଖାଇବା ପରେ ବି ସ୍ୱାସ୍ଥ୍ୟ ଠିକ୍ ହୋଇନଥାଏ । ଏହାସହିତ ବାରମ୍ବାର ଔଷଧ ସେବନ ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । କିନ୍ତୁ ଆପଣମାନେ କେବେ ଭାବିଛନ୍ତି କି ଶୀତ ଦିନ ସ୍ୱାସ୍ଥ୍ୟବସ୍ଥା ଠିକ୍ ରହବା ପାଇଁ ଗୁଡ ଖୁବ୍ ଉପଯୋଗୀ ହୋଇଥାଏ ।
ଯଦି ଆପଣ ଶୀତ ଦିନେ ଗୁଡ ସେବନ କରିବେ ତେବେ ଆପଣଙ୍କୁ ଥଣ୍ଡା ହେବ ନାହିଁ । ଏନେଇ ବୈଜ୍ଞାନିକମାନେ ମତ ପ୍ରକାଶ କରିଛନ୍ତି । ତାଙ୍କ କହିବାନୁଯାୟୀ ଗୁଡ ଏକ ପ୍ରାକୃତିକ ମିଠା । ଏହା ଶୀତଦିନ ସୁରକ୍ଷା କରିବାରେ ସହାୟକ ହୋଇଥାଏ । ଏଥିରେ ପ୍ରଚୁର ପରିମାଣର ଗ୍ଲୁକୋଜ୍, ଫ୍ରକ୍ଟୋଜ୍ ଏବଂ କ୍ୟାଲସିୟମ ରହିଛି । ଯାହା ଶରୀରରେ ରକ୍ତ ସଂଚାଳନକୁ ରୋକିବାକୁ ଦିଏ ନାହିଁ ଏବଂ ଏଥିପାଇଁ ଥଣ୍ଡା ହୁଏ ନାହିଁ । ଅନ୍ୟପଟେ କିଛି ବ୍ୟକ୍ତିଙ୍କ ଧାରଣ ରହିଛି କି ଗୁଡ ଖାଇବା ଦ୍ୱାରା ସୁଗାର ମାତ୍ରା ବଢିଯାଇପାରେ । କିନ୍ତୁ ପ୍ରକୃତରେ ଗୁଡ ଖାଇବା ଦ୍ୱାରା ସୁଗାର ହୁଏ ନାହିଁ, ବରଂ ଚିନି ଖାଇବା ଦ୍ୱାରା ସୁଗାର ହୋଇଥାଏ । ଯଦି ଆପଣ ଗୁଡ ସେବନ କରୁଛନ୍ତି ତେବେ ଆପଣଙ୍କ ଶରୀରରେ ରକ୍ତ ସଂଚାଳନ ସଠିକ୍ ଭାବେ ହୋଇଥାଏ ଏବଂ ତ୍ୱଚାରେ ଚମକ ଆସିଥାଏ ।
ସେହିପରି ପ୍ରତ୍ୟେକ ମାସରେ ମହିଳା ମାନେ ମାସିକ ଧର୍ମ ସମସ୍ୟାର ସାମ୍ନା କରିଥାନ୍ତି । ଏଥିପାଇଁ ସେମାନଙ୍କୁ ଖୁବ୍ ଯନ୍ତ୍ରଣା ମଧ୍ୟ ସହିବାକୁ ପଡିଥାଏ । ଯଦି ମହିଳାମାନେ ଗୁଡ ସେବନ କରିବେ ମାସିକ ଧର୍ମ ସଠିକ୍ ରୂପେ ହେବ ।
ଏହାବ୍ୟତିତ ଅତିରିକ୍ତ ଗୁଡ ସେବନ ଦ୍ୱାରା ଶରୀରକୁ ଗ୍ଲୁକୋଜ୍ ମିଳିଥାଏ । ଯଦି କୌଣସି ମହିଳା କିମ୍ବା ପୁରୁଷ କିଛି ଦିନ ଯାଏଁ ଗୁଡ ସେବନ କରୁଛନ୍ତି ତେବେ ତାଙ୍କର ପାଚନ କ୍ରିୟା ସଠିକ୍ ଭାବେ ହୋଇଥାଏ । ସେମାନଙ୍କର ପେଟ ଗ୍ୟାସ୍ ଜନିତ ସମସ୍ୟା ଦେଖା ଦିଏ ନାହିଁ । ଏହାସହିତ ଶୀତ ଦିନ ସାଧାରଣତଃ କାନ ସମସ୍ୟା ଉପୁଚି ଥାଏ । ଯଦି ଆପଣ ନିୟମିତ ରୂପେ ଗୁଡ ସେବନ କରୁଛନ୍ତି ତେବେ ଆପଣଙ୍କର କୌଣସି ପ୍ରକାରର ସମସ୍ୟା ରହିବ ନାହିଁ ।