ଶ୍ରୀନଗର(ଏଟିଆ ବ୍ୟୁରୋ): କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଏଠାରେ ଧିରେ ଧିରେ ଶାନ୍ତି ଫେରିବାରେ ଲାଗିଛି । ସରକାର ଜାମ୍ମୁ-କାଶ୍ମୀରର ଉନ୍ନତିକରଣ କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ସହ ଏଠାରେ ଶାନ୍ତି ବଜାୟ ରଖିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି । ତେବେ ଇତିମଧ୍ୟରେ ଅପରେଶନ୍ ମା ଦ୍ୱାରା ୫୦ ଜଣ ଯୁବକ ଆତଙ୍କବାଦ ରାସ୍ତା ଛାଡି ଘରକୁ ବାହୁଡିଛନ୍ତି । ଯୁବକ ମାନେ ଫୋନରେ ନିଜ ନିଜ ମାଙ୍କ ସହିତ କଥା ହେବା ପରେ ସେମାନଙ୍କ ମନରେ ବଡ ଧରଣର ପରିବର୍ତ୍ତନ ଆସିଛି ବୋଲି ଲ୍ୟୁଟନାଟ୍ ଜେନେରାଲ କନୱଲଜିତ ସିଂ ଧିଲୋନ କହିଛନ୍ତି ।
ଏହା ସହ ଲଶ୍କର-ଇ-ତୋଏବା ଏବଂ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀ ଜମ୍ମୁ-କାଶ୍ମୀରରେ ଶେଷ ହୋଇଯାଇଛି । ଏଥିପାଇଁ ପରିବେଶ ଶାନ୍ତ ରହିଥିବାରୁ ୨୦୨୦ରେ ଏଠାକୁ ଅଧିକ ମାତ୍ରାରେ ପର୍ଯ୍ୟଟକ ଆସିପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଅନ୍ୟପଟେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଏବେ ଅଧିକ ସକ୍ରିୟ ହେବାରେ ଲାଗିଛି । ଖରାପ ପାଗ ଯୋଗୁ ଆତଙ୍କବାଦୀ ମାନେ ଭାରତରେ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ପ୍ରୟାସ କରୁଛି । ଏନେଇ ଗୋଇନ୍ଦା ରିପୋର୍ଟ ମିଳିଛି । ଏହାକୁ ନଜରରେ ରଖି ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ଧିଲୋନ ସୂଚନା ଦେଇଛନ୍ତି ।