ବିହାର(ଏଟିଆର ବ୍ୟୁରୋ ) ; ସ୍କୁଲ ଭିତରେ ପଶି ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ପଡିଲା ମହଙ୍ଗା । ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ୩ ଦୁର୍ବୃତ । ଆକ୍ରମଣରେ ଚାଲିଗଲା ୩ ଦୁର୍ବୃତଙ୍କ ଜୀବନ । ପିଟି ପିଟି ମାରିଦେଲେ ଗ୍ରାମବାସୀ । ଯାହା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏଭଳି ଅଭାବନୀୟ ଘଟଣା ବିହାରର ବେଗୁସରାଇ ଜିଲ୍ଲାର ଛାଉରାହି ପ୍ରଥମିକ ବିଦ୍ୟାଳୟରେ ଘଟିଛି ।
ସୁଚନା ଅନୁସାରେ ଗତକାଲି ଦିନ ୧୦.୩୦ରେ ଛାଉରାହି ପ୍ରଥମିକ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଅପହରଣ କାରିବା ଉଦେଶ୍ୟରେ ୪ ଜଣ ଦୁର୍ବୃତ ବିଦ୍ୟାଳୟ ପରିସରରେ ପହଞ୍ଚିଥିଲେ ।ସେଠାରେ ସେହି ନିଦ୍ଧିଷ୍ଟ ଛାତ୍ରୀ ଜଣକ କେଉଁଠି ଅଛି ବୋଲି ଦୁର୍ବୃତ ମାନେ ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କୁ ପଚାରିଥିଲେ । ତେବେ ଶିକ୍ଷୟିତ୍ରୀ ଛାତ୍ରୀ ଜଣକ ସ୍କୁଲ ଆସିନଥିବା କହିବାରୁ ଦୁର୍ବୃତ ମାନେ ତାଙ୍କୁ ବନ୍ଧୁକ ଦେଖାଇ ଧମାକାଇଥିଲେ । ଏହା ଦେଖି ଶିକ୍ଷୟତୀ ଜଣକ ବେହୋସ ହୋଇଯାଇଥିଲେ । ପରେ ଦୁର୍ବୃତମାନେ ବିଦ୍ୟାଳୟ ପରିସରରେ ଅପହରଣ କରିବା ପାଇଁ ଆସିଥିବା ଛାତ୍ରୀଙ୍କୁ ଖୋଜାଖୋଜି କରିଥିଲେ । ଭୟରେ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ଏଣେତେଣେ ଦୈଡିଥିଲେ । ସେପଟେ ସ୍କୁଲ ନିକଟରେ କାମ କରୁଥିବା କିଛି କହିଳା ଓ ଗ୍ରାମବାସୀ ଆସି ସ୍କୁଲ ପରିସରରେ ପହଞ୍ଚିଥିଲେ ।
ସେ ସମସ୍ତ ଦୁର୍ବୃତ ମାନଙ୍କୁ ଚାରିଆଡୁ ଘେରିଯାଇଥିଲେ ଗ୍ରାମବାସୀ । ତେବେ ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ ବିଦ୍ୟାଳୟରୁ ଖସି ଯାଇଥିଲେ ହେଁ ଅନ୍ୟ ୩ ଜଣ ଦୁର୍ବୃତ ଗ୍ରାମବାସୀ ମାନଙ୍କ ହାବୁଡରେ ପଡିଯାଇଥିଲେ । ଫଳରେ ଗ୍ରାମବାସୀ , ସ୍କୁଲର ଶିକ୍ଷକ ଓ କିଛି ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ୩ ଜଣ ଦୁର୍ବୃତ ଙ୍କ ଉପରେ ଆକ୍ରମଣ କରିଥିଲେ । ସମସ୍ତେ ମିଳିତ ଭାବରେ ଦୁର୍ବୃତଙ୍କୁ ମାଡ ମାରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ଘଟଣା ସ୍ଥଳେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ତା ଗୁରୁତର ହୋଇପଡିଥିଲା ।
ସେପଟେ ଏ ଖବର ପାଇ ପୋଲିସ ଘଟଣା ସ୍ଥଳେ ପହଞ୍ଚି ୨ ଜଣ ଦୁବୃତଙ୍କୁ ଡାକ୍ତରଖାନା ପଠାଇଥିଲା । ତେବେ ସେଠାରେ ସେମାନଙ୍କ ମୃତ୍ୟୂ ହୋଇଥିବା ଡାକ୍ତର କହିଛନ୍ତି । ମୃତକମାନେ ହେଲେ ମୁକେଶ ମାହାତୋ, ଶ୍ୟାମ ସିଂହ ଓ ହୀରା ସିଂହ। ଏମାନଙ୍କ ଘର ସମସ୍ତିପୁରର ରୋସେରାରେ ବୋଲି ଜଣାପଡ଼ିଛି।ଅନ୍ୟପଟେ ସେ ସମସ୍ତ ଦୁର୍ବୃତ ମାନେ କୁଖ୍ୟାତ ଅପରାଧୀ ବୋଲି ପୋଲିସ କହିଛି । ସେମାନଙ୍କ ନାମରେ ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ଥିବା ଜଣା ପଡିଛି । କିନ୍ତୁ ଏମାନେ କାହିଁକି ଜଣେ ନିର୍ଦ୍ଦିଷ୍ଟ ଛାତ୍ରୀଙ୍କୁ ଅପହରଣ କରିବାକୁ ଚାହୁଁଥିଲେ, ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି ।