ରାୟଗଡା (ଏଟିଆର ବ୍ୟୁରୋ ) ; ବଢୁଛି ଶିଶୁ ଚାଲାଣ । ଉଦ୍ଧାର ହେଲେ ୧୫ ଶିଶୁ ଶ୍ରମିକ । ରାୟଗଡାରୁ ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିଲେ ଶିଶୁ ଶ୍ରମିକ । ରାୟଗଡା ରେଳଷ୍ଟେସନରୁ ଆନ୍ଦ୍ରପ୍ରଦେଶ ଚାଲାଣ ହେଉଥିବା ୧୫ ଜଣ ଶିଶୁ ଶ୍ରମିକଙ୍କୁ ଗତକାଲି ରେଳବାଇ ପୋଲିସ ଉଦ୍ଧାର କରିଛି । ତେବେ ୧୫ ଜଣ ଶିଶୁଙ୍କୁ ଆନ୍ଦ୍ର ପ୍ରଦେଶର ନେଲୋର ଠାରେ ଥିବା ଏକ ଚିଙ୍ଗୁଡି କାରଖାନାକୁ କାମ କରିବା ପାଇଁ ନିଆଯାଉଥିବା ଜଣା ପଡିଛି । ସେମାନଙ୍କ ମଧ୍ୟରୁ ୧୧ ଜଣ ଝିଅ ଥିବା ବେଳେ ୪ ଜଣ ପୁଅପିଲା ଅଛନ୍ତି ।
ଗତକାଲି ସଂଧ୍ୟାରେ ଏହି ଶିଶୁ ମାନେ ରାୟଗଡା ରେଳଷ୍ଟେଷନ ପାଖରେ ବୁଲୁଥିଲେ । ସେମାନଙ୍କୁ ଦେଖୀ ରେଳବାଇ ପୋଲିସ ସନ୍ଦେହ କରିଥିଲା । ସେମାନଙ୍କୁ ପଚରାଉଚରା କରି ପୋଲିସ ଜାଣିବାକୁ ପାଇଥିଲା ଯେ ସେମାନେ ଆନ୍ଧ୍ରପ୍ରଦେଶର ନେଲୋର ଠାରେ ଥିବା ଏକ ଚିଙ୍ଗୁଡି କାରଖାନାକୁ କାମ କରିବା ପାଇଁ ଯାଉଛନ୍ତି । ଏହାପରେ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲା । ପରେ ପୋଲିସ ସେମାନଙ୍କୁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଥିବା ଜଣାପଡିଛି । ସେପଟେ ସମସ୍ତ ଶିଶୁ ଶ୍ରମିକ ମାନଙ୍କ ଘର ଶେଖଖାଲ ଥାନା ଅନ୍ତର୍ଗତ କାଞ୍ଚମୁହିଁ ଗ୍ରାମରେ ବୋଲି ଜଣାପଡିଛି ।