କୋଲକାତା( ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗଳାରେ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ହରତାଳ କରିବା ଆଜି ତୃତୀୟ ଦିନରେ ପହଞ୍ଚିଛି । ଯାହାକୁ ନେଇ ପଶ୍ଚିବଙ୍ଗଳାରେ ରୋଗୀ ସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡିଛି । ତେବେ ଏନେଇ ଆଜି ତାତିଛନ୍ତ ଦିଦି । ଡାକ୍ତରମାନଙ୍କୁ ଦିଦି କହିଛନ୍ତି ଚାରି ଘଣ୍ଟା ମଧ୍ୟରେ ଆସି ନିଜ କାମରେ ଯୋଗ ଦିଅ ତା ନହେଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଦିଦି ଆହୁରି ମଧ୍ୟ କହିଛନ୍ତି ଏହି ହରତାଳରେ ବିଜେପିର ପ୍ରମୁଖ ଭୂମିକା ରହିଛି ।
ବିଜେପି ଡାକ୍ତରମାନଙ୍କ ଆନ୍ଦୋଳନକୁ ସାମ୍ପ୍ରଦାୟିକତାର ରୂପ ଦେବାକୁ ଚେଷ୍ଟା କରୁଛି । ବିଜେପି ସିପିଏମର ସହାୟତାରେ ହିନ୍ଦୁ ମୁସଲିମ ରାଜନୀତିରେ ଲିପ୍ତ ରହୁଛିବୋଲି ଆରୋପ ଲଗାଇଛନ୍ତି ଦିଦି । ବାହାର ମେଡିକାଲ କଲେଜର ଡାକ୍ତରମାନେ ଆସି ଚିକିତ୍ସାରେ ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି । ଏହି ଅବସରରେ ମମତା ଦିଦି ହରତାଳକୁ ନଜରରେ ରଖି କୋଲକାତା ସରକାରୀ ଡାକ୍ତରଖାନା ଏସଏସକେଏମ ଡାକ୍ତରଖାନାକୁ ପରିଦର୍ଶନ କରିବା ସହିତ ଡାକ୍ତରଖାନାର ସ୍ଥିତି ସମୀକ୍ଷା କରିଛନ୍ତି ।
ସୂଚନାଯୋଗ୍ୟ ସୋମବାର ଦିନ କୋଲକାତା ସରକାରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଯାହା ଫଳରେ ମୃତକଙ୍କ ପରିବାରର ଜଣେ ସଦସ୍ୟ ଡାକ୍ତରଖାନାର ଦୁଇଜଣ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ । ଯାହାର ପ୍ରତିବାଦରେ ସରକାରୀ ଡାକ୍ତରମାନେ ଏକଜୁଟ ହୋଇଛନ୍ତି । ବୁଧବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ।