ଦିଲ୍ଲୀ (ଏଟିଆର ବ୍ୟୁରୋ ) ; ବିଶ୍ୱର ସବୁଠାରୁ ବେଶୀ ପ୍ରଦୂଷିତ ଦେଶ ଭାରତ । ପ୍ରଦୂଷଣ ହିସାବରେ ଭାରତର ସହର ଗୁଡିକ ଆଗୁଆ ରହିଛନ୍ତି । ପ୍ରଦୂଷଣ ମୁକ୍ତ ବିଶ୍ୱଗଠନ ପାଇଁ ସମଗ୍ର ବିଶ୍ୱବାସୀ ଏହି ଦିଗରେ ଗୁରୁତ୍ୱ ଦେଉଥିବା ବେଳେ ପ୍ରକୃତରେ ଏହାର ଫଳାଫଳ ଦେଖିବାକୁ ମିଳୁନାହିଁ । ଅଜାଣତରେ ଦିନକୁ ଦିନ ଆମ ଚାରିପାଖର ପରିବେଶ ପ୍ରଦୂଷିତ ହେବାରେ ଲାଗିଛି ।
ଆଧୁନିକତା ଓ ଆବଶ୍ୟକତାର ବାହାନା ଦେଖାଇ ଆମେ ପାରିବେଶ ପ୍ରଦୂଷଣ କରିବାରେ ବ୍ୟସ୍ତ । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ପ୍ରକାଶ ପାଇଥିବା ରିପୋର୍ଟରେ ଭାରତକୁ ବିଶ୍ୱର ସବୁଠୁ ବେଶୀ ପ୍ରଦୂଷିତ ଦେଶ ବୋଲି ପ୍ରକାଶ ପାଇଛି । ବିଶ୍ୱର ୨୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୪ ଟି ସହର ରହିଥିବା ଏହି ରିପୋର୍ଟରେ କୁହାଯାଇଛି । ଏହାକୁ ଅନୁମାନ କରାଗଲେ ଭାରତ ବିଶ୍ୱରେ ସବୁଠାରୁ ବେଶୀ ପ୍ରଦୂଷିତ ଦେଶ ବୋଲି ଏକ ପ୍ରକାର ଜଣାପଡୁଛି । ଭାରତର ଦିଲ୍ଲୀ ସହର ବହୁଠୁ ବେଶୀ ପ୍ରଦୂଷିତ ଥିବା ବେଳେ ଦ୍ୱିତୀୟ ସ୍ଥାନରେ କାନପୁର ଓ ତୃତୀୟ ସ୍ଥାନରେ ଗୁରୁଗ୍ରାମ ରହିଛି ।
ସେପଟେ ଭାରତରେ ପ୍ରଦୂଷିତ ବାୟୁ କାରଣରୁ ପ୍ରତିବର୍ଷ ୨୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁ ବରଣ କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଜଣାପଡିଛି । ତେବେ ଏକ ବର୍ଷକୁ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ବିଶ୍ୱରେ ସବୁଠୁ ଅଧିକ । ଖାଲି ସେତିକି ନୁହେଁ ବିଶ୍ୱରେ ବାୟୁ ପ୍ରଦୂଷଣ କାରଣରୁ ମୃତ୍ୟୁ ବରଣ କରୁଥିବା ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣେ ଭାରତୀୟ ରହିଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି ।