ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ;ନକ୍ସଲଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କୁ ମିଳିଲା ସହାୟତା ରାଶି । ଛତିଶଗଡର ଦାନ୍ତେୱାଡ଼ା ଜିଲ୍ଲାରେ ଖବର ସଂଗ୍ରହ ନିମନ୍ତେ ଯାଇଥିବା ଦୂରଦର୍ଶନର କ୍ୟାମେରାମ୍ୟାନ ଓ ଦୁଇଜଣ ସୁରକ୍ଷାକର୍ମୀଙ୍କ ଉପରେ ଅଚାନକ ନକ୍ସଲ ମାନେ ଆକ୍ରମଣ କରିଥିଲେ । ଏଥିରେ ଓଡିଶାର ଅଚ୍ୟୂତାନନ୍ଦ ସାହୁ ନାମକ ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ ମୃତ୍ୟୁ ବରଣ କରିଥିଲେ ।
ତେବେ ଅଚ୍ୟୁତନନ୍ଦଙ୍କ ମୃତ୍ୟୁରେ ସାରା ରାଜ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗତକାଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର କ୍ୟାମେରାମ୍ୟାନଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିବା ସହ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବା ନେଇ ଘୋଷଣା କରିଛନ୍ତି । ଏଥିରେ ଦୂରଦର୍ଶନ ତରଫରୁ ୧୦ ଲକ୍ଷ ଓ ପ୍ରେସ ଇନଫରମେସନ ବ୍ୟୁରୋର ସାମ୍ବାଦିକ ମଙ୍ଗଳ ପାଣ୍ଠିରୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡିଛି ।
ଅନ୍ୟପଟେ ମନ୍ତ୍ରୀ ଶ୍ରୀ ରାଠୋର ଅଚ୍ୟୁତାନନ୍ଦଙ୍କ ପରିବାରର ଦାୟିତ୍ୱ ନେବେ ବୋଲି କହିଛନ୍ତି । ଏହାସହ ସେ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କୁ ସାଲ୍ୟୁଟ ଜଣାଇ ଏଭଳି ବିପଦପୁର୍ଣ୍ଣ କାର୍ଯ୍ୟ କରୁଥିବା ପ୍ରତେକ ସାମ୍ବାଦିକଙ୍କୁ ପ୍ରଶଂସା କରିଛନ୍ତି । ଅନ୍ୟପଟେ ଅଚ୍ୟୁତାଙ୍କ ମୃତ୍ୟୁରେ ତାଙ୍କ ପରିବାର ଭାଙ୍ଗି ପଡିଛି । ତେବେ ତାଙ୍କ ଧର୍ମପତ୍ନୀଙ୍କୁ ଦୂରଦର୍ଶନରେ ଚାକିରୀ ଦିଆଯିବ ବୋଲି ଘୋଷଣା କରାଯାଇଛି ।