ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଆଗକୁ ଆସୁଛି ସାଧାରଣ ନିର୍ବାଚନ । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଲେଣି ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା । ୨୦୧୯ରେ କିଏ ଜିତିବ କିଏ ହାରିବ ସେ ନେଇ ଆକଳନ କରୁଛନ୍ତି ଗଣମାଧ୍ୟମ । ନିଜ ନିଜ ଦ୍ୱାରା ସର୍ଭେ କରାଇ ଦେଶର ବିଭିନ୍ନ ସ୍ଥାନରେ କେଉଁ ଦଳର କେମିତି ପ୍ରାଧାନ୍ୟ ରହିବ ସେ ନେଇ ଅନୁମାନ କରାଯାଇଛି । ନିକଟରେ ଆଗାମୀ ସାଧାରଣ ନିର୍ବାଚନରେ କେଉଁ ଦଳ କେତୋଟି ଆସନ ଦଖଲ କରିବ ସେ ନେଇ ବିଭିନ୍ନ ସଂସ୍ଥା ପକ୍ଷରୁ ସର୍ଭେ କରାଯାଇଥିଲା । ତେବେ ଆଜି ଆଉ ଏକ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ନିକଟରେ ନେତା ଆପ ନାମକ ଗୋଟିଏ ସଂସ୍ଥା ଆଗାମୀ ସାଧାରଣ ନିର୍ବାଚନ ଉପରେ ଏକ ସର୍ଭେ କରିଥିଲା । ଯେଉଁଥିରେ କିଛି ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ପଦାକୁ ଆସିଛି । ୨୦୧୯ ନିର୍ବାଚନ ବିଜେପି ପାଇଁ କଷ୍ଟ ସାଧ୍ୟ ହେବ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି । ସେହିପରି ପୂର୍ବଥର ଅପେକ୍ଷା ପୁରା ଦେଶରେ ବିଜେପିର ନିଜ ଆସନ ହ୍ରାସ ହେବ ବୋଲି କୁହାଯାଇଛି । ତେବେ ଓଡିଶା ଓ ପଶ୍ଚିମବଙ୍ଗ ଭଳି ଅଣ ବିଜେପି ରାଜ୍ୟରେ ବିଜେପି ଉନ୍ନତ ପ୍ରଦର୍ଶନ କରିବ ବୋଲି ପ୍ରକାଶ ପାଇଛି । ପଶ୍ଚିମବଙ୍ଗର ମମତା ବାନାର୍ଜି ଓ ଓଡିଶାର ନବୀନ ପଟ୍ଟନାୟକଙ୍କୁ ଏଥର ବିଜେପି କଡା ଚ୍ୟଲେଞ୍ଜ ଦେବ ବୋଲି କୁହାଯାଉଛି ।
ସର୍ଭେ ରିପୋର୍ଟ ଅନୁସାରେ ୨୦୧୪ ମସିହାରେ ହୋଇଥିବା ନିର୍ବାଚନରେ ବିଜେଡି ମୋଟ ୨୧ ଗୋଟି ଲୋକସଭା ଆସନ ମଧ୍ୟରୁ ୨୦ ଟିରେ ବିଜୟ ଲାଭ କରିଥିଲା । ତେବେ ଆଗାମୀ ୨୦୧୯ ନିର୍ବାଚନରେ ବିଜେଡି ନିଜ ଅନେକ ଆସନ ହରେଇବା ସହ ମାତ୍ର ୯ ଟି ଆସନରେ ବିଜୟ ଆଣିପାରିବ ବୋଲି ସର୍ଭେ କହିଛି । ତେବେ ଏପରି ଅନୁମାନ ୧୮ ବର୍ଷ ଧରି ଓଡିଶାକୁ ଶାସନ କରୁଥିବା ବିଜେଡି ପାଇଁ ସତର୍କ ଘଣ୍ଟି ବୋଲି ଜଣାପଡିଛି ।
ସେପଟେ ଦେଶର ୨ କୋଟି ଲୋକଙ୍କୁ ନେଇ ଅଫ ଲାଇନ ଉ ଅନ ଲାଇନ ଜରିଆରେ ଏହି ସର୍ଭେ କରାଯାଇଥିଲା । ଏହି ସର୍ଭେରେ ଦେଶର ପ୍ରତେକ ରାଜ୍ୟର ନିର୍ବାଚନୀ ସ୍ଥିତି ଓ ଫଳାଫଳକୁ ନେଇ ଆକଳନ କରାଯାଇଥିଲା । ସର୍ଭେରେ ଜାତୀୟସ୍ଥରର ଦୁଇଟି ବୃହତ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଇଛି । ବିଜେପିର ଏଥର ନିର୍ବାଚନରେ ଆସନ ହ୍ରାସ ହେବ ବୋଲି କୁହାଯାଇଛି । ସେହିଭଳି କଂଗ୍ରେସର ଆସନ ବଢିବ ବୋଲି ଦର୍ଶାଯାଇଛି । ୨୦୧୯ ନିର୍ବାଚନରେ ବିଜେପି ୨୧୫ ଟି ଆସନରେ ଜିତିବାକୁ ଥିବା ବେଳେ କଂଗ୍ରେସ ୧୦୮ ଟି ଆସନରେ ଜିତିବ ବୋଲି ସର୍ଭେ କହିଛି । ତେବେ ବିଶେଷକରି ଉତ୍ତରପ୍ରଦେଶ ଓ ବିହାରରେ ବିଜେପି ନିଜ ଆସନ ହରାଇବ ବୋଲି ଜଣାପଡିଛି ।
ସେହିପରି ଦେଶର ଅନ୍ୟ ରାଜ୍ୟ ମାନଙ୍କରେ ଥିବା ଆଞ୍ଚଳିକ ଦଳ ଗୁଡିକରେ ମଧ୍ୟ ପରିବତ୍ତନ ଆସିବ ବୋଲି ସର୍ଭେ କହିଛି । ଏ ସବୁ ମଧ୍ୟରେ ଟିଏମସି ୨୬,ଡିଏମକେ ୨୦ , ସପା ୧୪, ବିଏସପି ୧୨, ଟିଡିପି ୧୨, ୱାଇଏସଆର କଂଗ୍ରେସ ୧୨, ଶିବ ସେନା ୧୨,ସିପିଆଇ ୧୦, ଏଆଇଡିଏମକେ ୯ , ଏନସିପି ୯, ଜେଡିୟୁ ୯, ବିଜେଡି ୯, ଟିଆରଏସ ୯, ଏଲଜେପି ୪ , ଆପ ୩, ଆଇଏନଏମଡି ୩ , ଅକାଳୀ ଦଳ ୩ ଓ ଅନ୍ୟାନ୍ୟ ଦଳ ୨୭ ଟି ଆସନ ପାଇବ ବୋଲି ସର୍ଭେ କହିଛି । ତେବେ ଓଡିଶା ଓ ପଶ୍ଚିମବଙ୍ଗରେ ବିଜେପି ନିଜ ପରିଆରା ବଢାଇବ ବୋଲି ସର୍ଭେ କହିଛି । ଯାହା ଉଭୟ ମମତା ଓ ନବୀନଙ୍କ ପାଇଁ ସତର୍କ ଘଣ୍ଟି ସାଜିଛି ।