ମିର୍ଜାପୁର(ଏଟିଆର ବ୍ୟୁରୋ): ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାର ଲାଲଗଞ୍ଜ ଥାନା ଅନ୍ତଗର୍ତ ରାମପୁର ଉତ୍ତରୀ ଗାଁରେ, ବିଦ୍ୟାଳୟରେ ତିଆରି ହେଉଥିବା ମଧ୍ୟାହ୍ନ ଭୋଜନରେ ପଡି ଜଣେ ତିନି ବର୍ଷ ଛାତ୍ରୀର ମୃତ୍ୟୁ ହୋଇଛି ।
ବିଦ୍ୟାଳୟ ପରି ଶିଶୁ ମାନଙ୍କ ପାଇଁ ସୁରକ୍ଷିତ ସ୍ଥାନରେ, ଏଭଳି ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୂଚନା ଅନୁସାରେ ମଧ୍ୟାହ୍ନ ଭୋଜନ ତିଆରି କରୁଥିବା ରୋଷେୟାଙ୍କର ଅସାବଧାନତା ଯୋଗୁଁ ଏଭଳି ଘଟଣା ଘଟିଛି ।
ଗତକାଲି ଅପରାହ୍ନରେ ମଧ୍ୟାହ୍ନ ଭୋଜନ ତିଆରି କରିବା ସମୟରେ ରୋଷେୟା ଜଣଙ୍କ ମୋବାଇଲ ଫୋନରେ କଥା ହେଉଥିଲେ ଯାହା ଫଳରେ ଛୋଟ ଝିଅଟି କେତେବେଳେ ତରକାରୀ ହାଣ୍ଡିରେ ଖସି ପଡିଲା ତାହା ସେ ଜାଣି ପାରିଲେ ନାହିଁ ।
ତିନି ବର୍ଷର ଝିଅ ଅଜଂଲି ତରକାରୀ ହାଣ୍ଡିକୁ ଖସିପଡିବା ପରେ ତରକାରୀ ଅଧିକ ଗରମ ଥିବାରୁ ତାର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣା ଘଟିବା ପରେ ଜିଲ୍ଲାପାଳ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ସଙ୍ଗେସଙ୍ଗେ ନିଲମ୍ବନ କରିଛନ୍ତି । ସେହିଭଳି ରୋଷେୟାଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ପରିବାର ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି ।