ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲଗାତର ଭାବେ ଚୀନ ସହ ବିବାଦ ଏବଂ ହିମାଚଳରୁ ୨୪୦ କିଲୋମିଟର ଲମ୍ବା ସୀମାରେ ଚୀନ ସେନାର ଗତିବିଧିକୁ ଦୃଷ୍ଟିରେ ରଖି ଏବେ ଲାହୌଲ-ସ୍ପିତି ଜିଲ୍ଲାରେ ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ତିଆରି ହେବ । ଏନେଇ ଜମି ଖୋଜିବା ପାଇଁ କେନ୍ଦ୍ରୀୟ ମନ୍ତ୍ରାଳୟ ପକ୍ଷରୁ ହିମାଚଳ ସରକାରଙ୍କୁ କୁହାଯାଇଛି । ଜମି ଚିହ୍ନଟ ହେବା ପରେ ରକ୍ଷାମନ୍ତ୍ରାଳୟ ପକ୍ଷରୁ ସର୍ଭେ କରି ଉପଯୁକ୍ତ ସ୍ଥାନରେ ଲ୍ୟାଣ୍ଡିଂ ଗ୍ରାଉଣ୍ଡ କରାଯିବ ।
ଏନେଇ ଡିଜିପି ସଞ୍ଜୟ କୁଣ୍ଡୁ କହିଛନ୍ତି କି, ରକ୍ଷାମନ୍ତ୍ରାଳୟ ସ୍ପିତିରେ ଏଥିପାଇଁ ହିମାଚଳକୁ ଜମି ଖୋଜିବାକୁ କହିଛନ୍ତି । ପ୍ରକୃତରେ ଲାହୌଲ-ସ୍ପିତି ଏବଂ କିନ୍ନୌର ଜିଲ୍ଲାର ପାଖାପାଖି ୨୪୦ କିଲୋମିଟରୁ ଅଧିକ ଲମ୍ବା ସୀମା ଚୀନ ସହିତ ଲାଗିଛି । ଲଦାଖର ଗଲୱାଂରେ ଚୀନ ସହ ହୋଇଥିବା ଭାରତୀୟ ସେନାର ବିବାଦ ପରେ ଚୀନର ଏୟାରଫୋର୍ସ ଲାହୌଲ ସ୍ପିତିଠାରୁ ଆଠ କିଲୋମିଟର ଦୂରତା ଭିତରେ ଉଡାଣ କରିବାକୁ ଦୁଃସାହସ କରିଥିଲା । ଏହି ଘଟଣା ପରେ ହିମାଚଳର ରାଜ୍ୟପାଳ ଦତ୍ତାତ୍ରେୟ ଏହି ଅଞ୍ଚଳର ସୁରକ୍ଷାକୁ ଦୃଷ୍ଟିରେ ରଖି ଡିଜିପି ସଞ୍ଜୟ କୁଣ୍ଡୁଙ୍କୁ ଏକ ପୋଲିସ ଅଧିକାରୀ ଟିମ୍ ପଠାଇବା ପାଇଁ କହିଥିଲେ ।
ଛଅଟି ଆଇପିଏସ ଅଧିକାରୀଙ୍କ ଟିମ ସୀମା ସହ ଲାଗିଥିବା ଅଲଗା ଅଲଗା ଅଞ୍ଚଳକୁ ଯାଇଛନ୍ତି । ଯେଉଁମାନେ ସ୍ଥାନୀୟ ଲୋକ, ଗୁଇନ୍ଦା ଏଜେନ୍ସି ଏବଂ ଜିଲ୍ଲା ପ୍ରଶାସନଙ୍କ ଫିଡବ୍ୟାକ ନେଇ ଏକ ପ୍ରସ୍ତୁତି ରାଜ୍ୟପାଳଙ୍କୁ ଦେଇଛନ୍ତି । ଏଥିରେ କୁହାଯାଇଛି କି ଆଡଭାନ୍ସ ପୋଷ୍ଟ ଅଞ୍ଚଳରେ କୌଣସି ଜରୁରୀକାଳୀନ ସ୍ଥିତିରେ ସେନାଙ୍କ ଓହ୍ଲାଇବା ପାଇଁ ବ୍ୟବସ୍ଥା ନଥିଲା ଏବଂ ଏଥିରେ ସ୍ଥାନୀୟ ଲୋକମାନେ ବି ଚିନ୍ତିତ ଥିଲେ ।
ଏହି ପ୍ରସ୍ତୁତି ପରେ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖିଥିଲେ ରାଜ୍ୟପାଳ । ରକ୍ଷାମନ୍ତ୍ରୀ ତାଙ୍କ ସୁପାରିଶ ସ୍ୱୀକାର କରି ସେହି ଅଞ୍ଚଳରେ ସଡକ, ମୋବାଇଲ ନେଟୱର୍କ ଏବଂ ସେନାଙ୍କ ଟିମ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
କୁଣ୍ଡୁ କହିଛନ୍ତି କି,ସେହିପରି ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ପାଇଁ ଜମି ଖୋଜିବାକୁ କହିଛି କେନ୍ଦ୍ର । ଜମି ମିଳିବା ପରେ ସେନାଙ୍କ ପାଇଁ ହେଲିପ୍ୟାଡ ତିଆରି କରାଯାଇ ପାରିବ । ଯାହାଫଳରେ ଉକ୍ତ ଅଞ୍ଚଳର ସୁରକ୍ଷା ମଜବୁତ ହେବ ।