ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୂର୍ବାଞ୍ଚଳ ଜୋନାଲ କାଉନସିଲର ୨୪ତମ ବୈଠକ ଆସନ୍ତା ୩୧ତାରିଖରେ ହେବା ପରିବର୍ତ୍ତେ ଫେବୃଆରୀ ୧୩ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେବାର ସୂଚନା ମିଳୁଛି । ଦୀର୍ଘ ୨୯ ବର୍ଷ ପରେ ଭୁବନେଶ୍ୱର ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଦେଶରେ ସିଏଏ, ଏନଆରପି ଓ ଏନଆରସିକୁ ନେଇ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକଟି ଅତ୍ୟନ୍ତ ଗୁରୁତ୍ୱବହନ କରୁଛି ।
ସୂଚନାନୁଯାୟୀ, ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକ ଆସନ୍ତା ୩୧ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ କୌଣସି କାରଣରୁ ଏହାକୁ ଫେବୃଆରୀ ୧୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଏହି ବୈଠକରେ ଓଡିଶା ସମେତ ବିହାର, ପଶ୍ଚିମବଙ୍ଗ, ସିକିମ, ଓ ଝାଡଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ଯୋଗ ଦେବାର ସୂଚନା ମିଳୁଛି । ଫେବୃୟାରୀ ୧୩ତାରିଖରେ ୨୪ତମ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକ ଭୁବନେଶ୍ୱରରେ କରିବା ନିମନ୍ତେ ସଂଶୋଧିତ ନିଷ୍ପତ୍ତି ହୋଇଛି। ଏହି ବୈଠକ ଲୋକସେବା ଭବନସ୍ଥିତ ନୂଆ କନଭେନସନ୍ ସେଣ୍ଟରରେ ହେବ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଏହି ବୈଠକରେ ୨୦୨୧ ଜନଗଣନା କାର୍ଯ୍ୟକ୍ରମ ସମେତ ଏନପିଆର, ସିଏଏ ଓ ଏନଆରସି ପ୍ରସଙ୍ଗ ସ୍ଥାନ ପାଇବା ସହ ନକ୍ସଲ ସମସ୍ୟା ପ୍ରସଙ୍ଗ ମଧ୍ୟ ସାମିଲ ହେବ। ଏହା ସହ ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ସୁବିଧା, ଡିବିଟି ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାର ଅର୍ଥ ସିଧାସଳଖ ହିତାଧିକାରୀଙ୍କୁ ପ୍ରଦାନ, ପୋକସୋ ଓ ଏନଡିପିଏସ୍ ଆଇନ ଅନ୍ତର୍ଗତ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ଓ ସୁପରିଚାଳନା ଉପରେ ମଧ୍ୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି।
ଶେଷଥର ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକ ୨୦୧୮ ଅକ୍ଟୋବର ମାସରେ କୋଲକାତାରେ ଅନୁଷ୍ଠିତ ହୋଇଥିଲା । ତେବେ ଗତବର୍ଷ ଅକ୍ଟୋବର ମାସରେ ପୂର୍ବାଞ୍ଚଳ ଜୋନାଲ କାଉନସିଲର ଷ୍ଟାଣ୍ଡିଂ କମିଟି ବୈଠକ (ମୁଖ୍ୟସଚିବ ସ୍ତରୀୟ) ହୋଇଥିଲା । ଅନ୍ୟପଟେ ଆସନ୍ତ ଫେବୃଆରୀ ୧୩ତାରିଖରେ ହେବାକୁଥିବା ବୈଠକରେ ଯୋଗ ଦେବା ପାଇଁ ଅମିତ ଶାହା ଫେବୃଆରୀ ୧୨ତାରିଖରେ ଭୁବନେଶ୍ୱରରେ ପହଞ୍ଚିବା ସହ ରାଜ୍ୟ ବିଜେପି ନେତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅମିତ ଶାହା ଓଡିଶା ଗ୍ରସ୍ତରେ ଆସିବା ସହ ରାତି ବିତିଉଥିବାରୁ ଏହା ରାଜନୈତିକ ଦୃଷ୍ଟି କୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । ଏଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ।