ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୨୬/୧୧ ମୁମ୍ବାଇ ଉପରେ ଆତଙ୍କବାଦୀ ଆକ୍ରମଣ । ସେ ଦିନର ସେହି ଆତଙ୍କବାଦୀ ଆକ୍ରମଣ ଯେମିତି ପୂରା ଦେଶକୁ ସ୍ତବ୍ଧ କରିଦେଇଥିଲା । ୧୦ଜଣ ଆତଙ୍କବାଦୀ ଭାରତୀୟ ସୀମାକୁ ଅନୁପ୍ରବେଶ କରିବା ସହ ପୂରା ମୟାନଗରୀକୁ ଥରହରା କରି ଦେଇଥିଲେ । ସେମାନେ ମୁମ୍ବାଇର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଓ ଗୁଳିମାଡ କରି ପୂରା ଦେଶକୁ ଦୋହଲାଇ ଦେଇଥିଲେ । ଭାରତୀୟ ସେନା ଓ ମୁମ୍ବାଇ ପୋଲିସର ମିଳିତ ଉଦ୍ୟମ ଫଳରେ ସମସ୍ତ ଆତଙ୍କବାଦୀ ନିହତ ହେବା ସହ ଜଣେ ଆତଙ୍କବାଦୀ ଗିରଫ ହୋଇଥିଲା ।ଗିରଫ ହୋଇଥିବା ଆତଙ୍କବାଦୀକୁ ପରେ ଫାଶୀ ଦିଆଯାଇଥିଲା । ଏହି ସବୁ ଆକ୍ରମଣ ପରେ ଭାରତୀୟ ବାୟୁ ସେନା ପାକିସ୍ତାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏୟାର ଷ୍ଟାଇକର କରିବାକୁ ସେହି ସମୟରେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ।
ହେଲେ ସରକାର ଏହି ପ୍ରସ୍ତାବକୁ ଅଣଦେଖା କରିଥିଲେ ବୋଲି ଭାରତୀୟ ବାୟୁ ସେନାର ପୂର୍ବତନ ଅଧ୍ୟକ୍ଷ ଧନୱା କହିଛନ୍ତି । ଶୁକ୍ରବାର ଦିନ ବିଜେଟିଆଇର ଏକ ସମ୍ମୀଳନୀରେ ଯୋଗ ଦେଇ ଧନୱା କହିଛନ୍ତି, ମୁମ୍ବାଇ ଆକ୍ରମଣ ସମୟରେ ପାକିସ୍ତାନର ଆତଙ୍କବାଦୀ ଶିବିରର କେଉଁଠାରେ ରହିଛି ତାହା ଆମେ ଜଣିଥିଲୁ । ଏହି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ଦୃଢ ଜବାବ ଦେବା ପାଇଁ ଏୟାର ଷ୍ଟାଇକ କରିବାକୁ ଆମେ ପ୍ରସ୍ତାବ ଦେଇଥିଲୁ । ହେଲେ ଏୟାର ଷ୍ଟାଇକକୁ ପ୍ରତିଫଳନ କରିବାରେ ରାଜନୈତିକ ଦଳ ବା ସରକାରୀ ଦଳମାନେ ଆମକୁ ସହଯୋଗ କରିନଥିଲେ । ଅନ୍ୟପଟେ ୨୦୦୧ ମସିହାରେ ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଦେବା ପାଇଁ ସେତେବେଳେ ସମୟରେ ଏୟାର ଷ୍ଟାଇକ କରିବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ତାହା ସ୍ୱୀକାର କରାଯାଇନଥିଲା ବୋଲି ଧନୱା କହିଛନ୍ତି । ୨୦୧୬ ମସିହା ଡିସେମ୍ବର ୩୧ ଯାଏଁ ଧନୱା ଭାରତୀୟ ବାୟୁ ସେନାର ଅଧ୍ୟକ୍ଷ ରହିଥିଲେ ।