ମୁର୍ଶିଦାବାଦ(ଏଟିଆର ବ୍ୟୁରୋ): ଭାରତ ବାଂଲାଦେଶ ସୀମାରେ ଗୁଳିବିନିମୟ ଘଟିଇଛି । ଏହି ଗୁଳି ବିନିମୟରେ ଭାରତୀୟ ସେନାର ଜଣେ ଯବାନ ସହିଦ ହେବା ସହ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗର ଅର୍ନ୍ତଜାତୀୟ ସୀମାରେ ଭାରତୀୟ ସୁରକ୍ଷା କର୍ମୀ ଫ୍ଲାଗ ମିଟିଂ କରୁଥିବା ବେଳେ ହଠାତ ବାଂଲାଦେଶର ଜଣେ ସୁରକ୍ଷା କର୍ମୀ ଭାରତୀୟ ଯବାନଙ୍କ ଉପରେ ଗୁଳିମାଡ କରିଥିଲେ । ଏହି ଘଟଣାଟିକୁ ବିଏସ୍ଏଫ ମୁଖ୍ୟ ଭିକେ ଝୋରି ଅତି ଗୁରୁତ୍ୱର ଭାବେ ନେଇଛନ୍ତି । ଏ ବାବଦରେ ସେ ବାଂଲାଦେଶ ପ୍ରତିପକ୍ଷଙ୍କ ସହ କଥା ହୋଇ ଏହାର ଦୃଢ ପ୍ରତିବାଦ କରିଛନ୍ତି । ବାଂଲାଦେଶ ପ୍ରତିପକ୍ଷ ଏ ବାବଦରେ ତୁରନ୍ତ ପଦକ୍ଷପ ନେବା ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାର ପ୍ରତିଶୃତି ଦେଇଛନ୍ତି । ବାଂଲାଦେଶ ଭାରତର ପଡୋଶୀ ରାଷ୍ଟ୍ର ହେବା ସହ ଭାରତ ସହ ତାର ସମ୍ପର୍କ ମଧ୍ୟ ଭଲ ରହିଛି । ଭାରତ ବାଂଲାଦେଶ ସୀମାରେ ସେନା ମୁତୟନ ହେବା ସତ୍ୱ ଉଭୟଙ୍କ ମଧ୍ୟରେ ବହୁ ବର୍ଷଧରି କୌଣସି ବି ଯୁଦ୍ଧ ହୋଇନାହିଁ ।
ମିଳିଥିବା ସୂଚନା ଅନୁଯାୟୀ , ପଦ୍ମା ନଦୀରେ ୩ଜଣ ମତ୍ସ୍ୟଜୀବି ମାଛ ଧରିବାକୁ ଯିବା ପାଇଁ ଭାରତୀୟ ସୁରକ୍ଷାକର୍ମୀଙ୍କ ଅନୁମତି ନେଇଥିଲେ ହେଲେ ସେମାନେ ଭୁଲ ବସତଃ ବାଂଲାଦେଶ ସୀମା ମଧ୍ୟକୁ ପ୍ରବେଶ କରିଯାଇଥିଲେ । ଏହାପରେ ବାଂଲାଦେଶ ସୈନ୍ୟ ସେହି ୩ଜଣ ମତ୍ସ୍ୟଜୀବିଙ୍କୁ ଅଟକ ରଖିଥିଲେ । ଏହି ଖବର ପାଇବା ପରେ ବିଏସଏଫର ୬ଜଣିଆ ଟିମ ଏକ ମଟୋର ବୋଟରେ ବାଂଲାଦେଶ ସହ ବୁଝାମଣା କରିବାରୁ ସେମାନେ ୨ଜଣକୁ ଛାଡି ଦେଇଥିଲେ କିନ୍ତୁ ଜଣଙ୍କୁ ଛାଡିନଥିଲେ । ଏହାକୁ ନେଇ ଆଜି ସକାଳ ୯ଟା ବେଳେ ମୁର୍ଶିଦାବାଦ ଜିଲ୍ଲା କକମାରିଚର ବର୍ଡର ପୋଷ୍ଟରେ ୨ଦେଶର ପ୍ରତିନିଧି ଉପସ୍ଥିତ ଥିଲେ । ଏହି ସମୟରେ ବାଂଲାଦେଶର ଜଣେ ସୁରକ୍ଷା କର୍ମୀ ଭାରତୀୟ ଯବାନ ହେଡ କନେଷ୍ଟବଲ ବିଜୟ ଭି ସିଂହ ଓ ରାଜବୀର ଯାଦବଙ୍କ ଉପରେ ଗୁଳିମାଡ କରିଥିଲେ । ଏହି ଗୁଳି ମାଡରେ ଘଟଣାସ୍ଥଳରେ ହିଁ ବିଜୟଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜବୀରଙ୍କ ଅବସ୍ଥା ଗୁରୁତର ହୋଇଯାଇଥିବାର ଜଣାପଡିଛି ।