ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବଜେଟ ଉପସ୍ଥାପିତ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ସାଧାରଣ ଜନତାଙ୍କୁ କର ରେ କୌଣସି ଆଶ୍ୱସ୍ତି ମିଳିନାହିଁ । ବଜେଟରେ ଥିବା ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।
ନିର୍ମଳା ସୀତାରମଣ କହିଛନ୍ତି କି, ଟ୍ୟାକ୍ସରେ ବରିଷ୍ଠ ନାଗରିକଙ୍କୁ ଆଶ୍ୱସ୍ତି ଦିଆଯିବ । ୭୫ ବର୍ଷ ବୟସ ଟପିଯାଇଥିବା ନାଗରିକଙ୍କୁ ଏବେ ଆଇଟିଆର ଭରିବାକୁ ପଡିବ ନାହିଁ । ଅର୍ଥାତ ସେମାନେ ଇନକମ ଟ୍ୟାକ୍ସ ଭରିବେ ନାହିଁ ।
ସୂଚନାଯୋଗ୍ୟ, ଯଦି କୌଣସି ବ୍ୟକ୍ତି ଆୟ ୨.୫ ଲକ୍ଷ ହୋଇଥିବ ତେବେ ତାଙ୍କ କୌଣସି କର ଦେବାକୁ ପଡିବ ନାହିଁ । ସେହିପରି ୨.୫ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ ଟ୍ୟାକ୍ସ ଲଗାଯାଇଛି । ଯେଉଁମାନଙ୍କର ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କା ଆୟ ଥିବ ତାଙ୍କ ଉପରେ ୧୦ ପ୍ରତିଶତ ଟ୍ୟାକ୍ସ ଲଗାଯାଇଛି । ଅନ୍ୟପଟେ ଯେଉଁମାନଙ୍କର ଆଉ ୭.୫ ଲକ୍ଷ ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ହୋଇଥିବ ତାଙ୍କୁ ୧୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ହେବ ।
ସେହିପରି ଯେଉଁ ଲୋକଙ୍କର ବର୍ଷକୁ ୧୦ ଲକ୍ଷରୁ ୧୨.୫ ପର୍ଯ୍ୟନ୍ତ ଆୟ ହେଉଥିବ ସେମାନଙ୍କୁ ୨୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ହେବ । ୧୨.୫ ଲକ୍ଷରୁ ୧୫ ଲକ୍ଷ ଉପରେ ୨୫ ପ୍ରତିଶତ ଟ୍ୟାକ୍ସ । ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ କର ଦେବାକୁ ପଡିବ ।