ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ର ତୃତୀୟ ପର୍ଯ୍ୟାୟ ମେ ୪ ତାରିଖରୁ ଆରମ୍ଭ ହୋଇ ମେ ୧୭ ତାରିଖ ଯାଏଁ ଚାଲିବ । ଏହି ଅବଧି ପାଇଁ ସରକାରଙ୍କ ପାଇଁ କିଛି ଗାଇଡ୍ ଲାଇନ୍ ଜାରି କରାଯାଇଛି । ରେଡ୍, ଅରେଞ୍ଜ ଏବଂ ଗ୍ରୀନ୍ ଜୋନ ରେ ଆସୁଥିବା ଅଞ୍ଚଳ ପାଇଁ ଗାଇନ୍ ଲାଇନ୍ ରହିଛି । ଏହି ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ରେ ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ଅଞ୍ଚଳ ପାଇଁ କଟକଣାରେ କୋହଳ କରାଯାଇଛି । କିନ୍ତୁ ରେଡ୍ ଜୋନ୍ ରେ କଡାକଡି ଭାବେ କଟକଣା ପାଳନ କରାଯିବ । ଇତି ମଧ୍ୟରେ ଆମାଜନ୍ ଏବଂ ଫ୍ଲିପକାର୍ଟ ଭଳି ଇ-କମର୍ସ କମ୍ପାନୀ ଗୁଡିକ ଅଣଅତ୍ୟାବଶ୍ୟକୀୟ ଜିନିଷ ବି ବିକ୍ରି କରିପାରିବେ । କିନ୍ତୁ ସେଥିପାଇଁ କିଛି ସର୍ତ୍ତ ରଖାଯାଇଛି । ଏହି ସୁବିଧା କେବଳ ଗ୍ରୀନ୍ ଏବଂ ଅରେଞ୍ଜ ଜୋନ୍ ପାଇଁ ଉପଲବ୍ଧ ହେବ । ମାତ୍ର ରେଡ୍ ଜୋନ୍ ରେ ଏବେ ବି କଟକଣା କଡାକଡି ରହିବ ।
ଗାଇଡ ଲାଇନ୍ ଅନୁଯାୟୀ, ଏବେ ୪ ମେ ଠାରୁ ଗ୍ରୀନ ଏବଂ ଅରେଞ୍ଜ ଜୋନ୍ ରେ ରହୁଥିବା ଲୋକ ସ୍ମାର୍ଟଫୋନ୍, ଲାପଟପ୍ ଏବଂ ଅନ୍ୟ ଇଲେକ୍ଟ୍ରନିକ ଗ୍ୟାଜେଟ୍ସକୁ ଅନଲାଇନ୍ ମାଧ୍ୟମରେ କିଣି ପାରିବେ ।
କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ରେଡ୍, ଅରେଞ୍ଜ ଏବଂ ଗ୍ରୀନ୍ ଜୋନ୍ ରେ ବିଭକ୍ତ କରାଯାଇଚି ରାଜ୍ୟର ଜିଲ୍ଲା ଗୁଡିକୁ । ଯେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢୁଛି, ସେହି ଅଞ୍ଚଳକୁ ରେଡ୍ ଜୋନ୍ ରେ ରଖାଯାଇଛି । ସେହିପରି ଯେଉଁ ଅଞ୍ଚଳରେ ୧୪ ଦିନ ମଧ୍ୟରେ କୌଣସି ନୂଆ କେସ ସାମ୍ନାକୁ ଆସୁ ନାହିଁ ତାକୁ ଅରେଞ୍ଜ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହାସହିତ ଯେଉଁ ଅଞ୍ଚଳରେ ୨୧ ଦିନ ମଧ୍ୟରେ ସଂକ୍ରମଣର କୌଣସି ମାମଲା ସାମ୍ନାକୁ ଆସିନାହିଁ ତାକୁ ଗ୍ରୀନ ଜୋନ୍ ଭାବେ ଘୋଷଣା କରାଯାଇଛି ।