ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ଚାରୋଟି ପ୍ରମୁଖ ସହର ତଥା ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଭୁବନେଶ୍ୱରରେ ଡିଜିଟାଲ ଟଙ୍କାର ପାଇଲଟ ପରୀକ୍ଷା ଆରମ୍ଭ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଏହି ପ୍ରକଳ୍ପ ପାଇଁ ମନୋନୀତ ବ୍ୟାଙ୍କଗୁଡିକରୁ ୧.୭୧ କୋଟି ଡିଜିଟାଲ ଟଙ୍କା ଦାବି କରାଯାଇଥିଲା। ଯେଉଁଥିରେ ଚାରୋଟି ବ୍ୟାଙ୍କ ଯେପରିକି ଭାରତୀୟ ଷ୍ଟେଟ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ୟସ୍ ବ୍ୟାଙ୍କ ଏବଂ ଆଇଡିଏଫସି ଫଷ୍ଟ ବ୍ୟାଙ୍କ ସହିତ ଗ୍ରାହକ ଏବଂ ବଣିକମାନେ କାରବାର କରିପାରିବେ। ବ୍ୟାଙ୍କର ଚାହିଦା ଅନୁଯାୟୀ ଡିଜିଟାଲ ଟଙ୍କା ଜାରି କରିଛି କେନ୍ଦ୍ରୀୟ ବ୍ୟାଙ୍କ ।
ଆରବିଆଇ ଦ୍ୱାରା ଜାରି କରାଯାଇଥିବା ଇ-ରୂପୀ ଡିଜିଟାଲ ଟୋକେନ ଉପରେ ଆଧାରିତ । ଏହାକୁ କେନ୍ଦ୍ରୀୟ ବ୍ୟାଙ୍କ ହିଁ ଜାରି କରି ପାରିବେ ଏବଂ ବ୍ୟାଙ୍କ ନୋଟ ସହିତ ଏହାର ମ୍ୟୂଶ ସମାନ ରହିଛି । ଏହାକୁ ପେପର ନୋଟ୍ ଭଳି ୨୦୦୦, ୫୦୦,୨୦୦,୧୦୦,୫୦ ଏବଂ ଅନ୍ୟ ବୈଧ ଡୋନୋମିନେଶନରେ ଜାରି କରାଯାଇଛି ।
ଏହି ଡିଜିଟାଲ୍ ଟଙ୍କା ଏକ ସ୍ୱତନ୍ତ୍ର ଇ-ୱାଲେଟରେ ସୁରକ୍ଷିତ ରହିବ, ଯାହା ପ୍ରକଳ୍ପ ପାଇଁ ମନୋନୀତ ବ୍ୟାଙ୍କଗୁଡିକ ଦ୍ୱାରା ପ୍ରଦାନ କରାଯିବ । ଏହି ୱାଲେଟ୍ ବ୍ୟାଙ୍କ ଦ୍ୱାରା ଜାରି କରାଯିବ, କିନ୍ତୁ ଏହାର ନଜର ରଖିବାର ଦାୟିତ୍ୱ ସମ୍ପୂର୍ଣ୍ଣ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇ ଉପରେ ରହିବ।
ଉଭୟ ପି-ଟୁ-ପି (ପର୍ସନ ଟୁ ପର୍ସନ) ଏବଂ ପି-ଟୁ-ଏମ (ପର୍ସନ ଟୁ ମର୍ଚାଣ୍ଟ) ମୋଡରେ ଇ-ରୁପି ବ୍ୟବହାର କରାଯାଇପାରିବ । ଏହାର ବ୍ୟବହାର ଦ୍ୱାରା ୟୁପିଆଇ ଏବଂ ଅନ୍ୟାନ୍ୟ ଅନଲାଇନ୍ ମାଧ୍ୟମରେ ଦିଆଯାଇଥିବା ଦେୟଗୁଡିକରେ ଅନାବଶ୍ୟକ ଚାର୍ଜରୁ ମଧ୍ୟ ମୁକ୍ତି ମିଳିବ ।