ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ଜିଡିପି ଗ୍ରୋଥ ବହୁ ମାତ୍ରାରେ ହ୍ରାସ ହୋଇଛି । ଏନେଇ ମଙ୍ଗଳବାର ଏସବିଆଇର ଆର୍ଥିକ ଅନୁସନ୍ଧାନ ବିଭାଗର ଏକ ରିସର୍ଚ୍ଚ ରିପୋର୍ଟରୁ ଜଣାପଡିଛି । ରିପୋର୍ଟ ମୁତାବକ, ଆର୍ଥିକ ବର୍ଷ ୨୦୧୯-୨୦ ରେ ଭାରତର ଜିଡିପି ବୃଦ୍ଧି ଦର ୫ ପ୍ରତିଶତ ରହିବାର ଅନୁମାନ କରାଯାଉଛି । ମାତ୍ର ଏହା ପୂର୍ବରୁ ଜିଡିପି ଦର ୬.୧ ପ୍ରତିଶତର ଅନୁମାନ ବ୍ୟକ୍ତ କରିଥିଲା ଏସବିଆଇ ।
ଏନେଇ ଏସବିଆଇ ପକ୍ଷରୁ କୁହାଯାଇଛି, ଅଟୋ ସେକ୍ଟରରେ ମାନ୍ଦାସ୍ଥିତି, ଏୟାର ଟ୍ରାଫିକ ହ୍ରାସ, ଇଂଫ୍ରାଷ୍ଟ୍ରକଚର ସେକ୍ଟରରେ ନିବେଶ ହ୍ରାସ ହେବା ଯୋଗୁଁ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରିମାସରେ ଦେଶର ଜିଡିପି ବୃଦ୍ଧି ଦର ହ୍ରାସ ହୋଇ ୪.୨ ପ୍ରତିଶତ ହୋଇପାରେ । ଏଥିପାଇଁ କେନ୍ଦ୍ର ସରକାର ନଭେମ୍ବର ୨୯ ରେ ଜାରି କରିବେ ଜିଡିପି ସଂଖ୍ୟା ।
ରିପୋର୍ଟରେ କୁହାଯାଇଛି କି, ଅର୍ଥବ୍ୟବସ୍ଥାର ବୃଦ୍ଧି ଦର ଆର୍ଥିକ ବର୍ଷ ୨୦୨୦-୨୧ ରେ ବୃଦ୍ଧି ହୋଇ ୬.୨ ପ୍ରତିଶତରେ ପହଁଚିବ । ଏହି ଖବର ସେହି ସମୟରେ ଆସିଛି ଯେଉଁ ସମୟରେ ଇଣ୍ଟରନାସନାଲ ରେଟିଂ ଏଜେନ୍ସି ମୁଡିଜ୍ ପକ୍ଷରୁ ଭାରତର ଜିଡିପି ଗ୍ରୋଥର ଅନୁମାନକୁ ହ୍ରାସ କରାଯାଇଛି । ମାନ୍ଦା ଆର୍ଥିକ ସ୍ଥିିତିକୁ ଦୃଷ୍ଟିରେ ରଖି ଜିଡିପି ଗ୍ରୋଥର ଅନୁମାନକୁ କମ କରିଛି ମୁଡିଜ୍ ।
ରିପୋର୍ଟରେ ଆହୁରୀ ମଧ୍ୟ କୁହାଯାଇଛି କି, ଅର୍ଥବ୍ୟବସ୍ଥାକୁ ଦୃତ କରିବା ପାଇଁ ଡିସେମ୍ବରରେ ହେବାକୁ ଥିବା ମୌଦ୍ରିକ ସମୀକ୍ଷା ବୈଠକରେ ସୁଧ ଦରରେ ଆହୁରୀ ହ୍ରାସ କରିପାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ।
ସୂଚନାଯୋଗ୍ୟ, ଗତ ମାସରେ ଲଗାତର ପାଞ୍ଚଥର ନୀତି ଗତ ଦରରେ ହ୍ରାସ କରିବା ସହ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଜିଡିପି ବୃଦ୍ଧି ଅନୁମାନକୁ ୬.୯ ରୁ ହ୍ରାସ କରାଇ ୬.୧ ପ୍ରତିଶତ କରିଥିଲା ଆରବିଆଇ ।